ଏବେ ତାତିରୁ ମିଳିବନି ତ୍ରାହି : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

1,331

କନକ ବ୍ୟୁରୋ : ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ଓଡିଶା । ଆକାଶରୁ ହେଉଛି ନିଆଁ ବର୍ଷା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି ଲୋକେ । ମାସ ଶେଷ ସୁଦ୍ଧା ତାତିରୁ ତ୍ରାହି ମିଳିନପାରେ । ପାଣିପାଗ କେନ୍ଦ୍ରର ସୂଚନା ଅନୂସାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢିବ । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ତାତି ଅନୁଭୂତ ହେବ । ୨୪ ଘଂଟା ମଧ୍ୟରେ ୫ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି ।

ଏଥିପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ୨୮ରୁ ଅଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨ ଡିଗ୍ରୀ ଉପରେ ରହିଥିଲା ୮ଟି ସ୍ଥାନର ତାପମାତ୍ରା । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସୋନପୁରରେ ଗତକାଲି ତାପମାତ୍ରା ୪୩ ଦଶମିକ ୮ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁଛି । କଟକରେ ବି ତାପମାତ୍ରା ୪୧ ଦଶମିକ ୧ଡିଗ୍ରୀ ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୋନପୁର ଦେଶର ଦ୍ୱିତୀୟ ଉତପ୍ତ ସହର ଭାବେ ପରିଗଣିତ ହୋଇଛି । ଭୁବନେଶ୍ୱର ଏହି ତାଲିକାର ପଂଚମ ସ୍ଥାନରେ ରହିଛି ।