ଆହୁରି ୩ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଉତ୍ତର-ଉପକୂଳ ଓଡିଶାରେ ୱେଲମାର୍କ ଲୋ-ପ୍ରେସର । ଅଗଷ୍ଟ ୧୫ରେ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି ।

703

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଓଡିଶାରେ ଆହୁରି ୩ ଦିନ ବର୍ଷାହେବ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ତଳିଆ ଅଂଚଳରେ ପାଣି ପଶିବା ସହ କଚା ଘର ପ୍ରଭାବିତ ହେବା ଆଶଙ୍କା ରହିଛି ।

ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ
ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା!
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅଗଷ୍ଟ ୧୫ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୧୬ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ଜମିବା ସହ କଚା ଘର ଓ କଚା ରାସ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି । ସେହିପରି କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କନ୍ଧମାଳ, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ୧୬ ତାରିଖରେ ୯ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଓ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ସମ୍ବଲପୁର ଝାରସୁଗୁଡା, ବଲାଙ୍ଗୀର, ଦେବଗଡ,ଅନୁଗୁଳ, ବୌଦ୍ଧ, ନୂଆପଡା ଓ ସୋନପୁର ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ଆଇଏମଡି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ଅଶଙ୍କା ରହିଛି ।

ଅନ୍ୟପଟେ ୧୭ ତାରିଖରେ ୮ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ବରଗଡ, ନୂଆପଡା, ନବରଙ୍ଗପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଦେଇଛି । ଲଘୁଚାପ ତିନି ଦିନ ଧରି ଓଡିଶାରେ ପ୍ରବଳ ବର୍ଷା ହେବା ପରେ ଅଗଷ୍ଟ ୧୮ ତାରିଖରୁ ପାଗରେ ପରିବର୍ତନ ଆସିପାରେ ।