ସାରା ରାଜ୍ୟରେ କୋହଲା ପାଗ । ଆସନ୍ତା ୨୪ ଘଂଟା ଯାଏଁ ବର୍ଷା, ପରେ ବଢିବ ଶୀତ : ପାଣିପାଗ ବିଭାଗର ଆକଳନ, ୭ଟି ଜିଲ୍ଲାରେ ବର୍ଷା ସହ ବହିବ ପବନ

654

କନକ ବ୍ୟୁରୋ : ସାରା ରାଜ୍ୟରେ କୋହଲା ପାଗ । କେତେକ ସ୍ଥାନରେ ଝିପ ଝିପ ବର୍ଷା ଲାଗିରହିଛି । ପାଣିପାଗ ବିଭାଗ ଆକଳନ କରିଛି, ଏଭଳି ପାଗ ଆଜି ଲାଗି ରହିବ । ତେବେ ଆଜି ଅଧିକ ଜାଡ ବଢିବ । ଓଡିଶାର ୭ ଟି ଜିଲ୍ଲାରେ ବର୍ଷା ସହ ପବନ ବହିବ । ଫଳରେ ଏହି ଜିଲ୍ଲା ଗୁଡିକରେ ଆଜି ଠାରୁ ଜାଡ ବି ବଢିବ । ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ବର୍ଷା ଛାଡ଼ିବା ପରେ ବଢ଼ିବ ଥଣ୍ଡାର ପ୍ରକୋପ । ୧୦ ତାରିଖ ପରଠାରୁ ତାପମାତ୍ରା ୩ରୁ ୪ଡ଼ିଗ୍ରୀ କମିବ । ୪ଟି ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରାଯାଇଛି । ସୋନପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଏବଂ ଅନୁଗୁଳରେ ୧୦ ତାରିଖ ପରେ ଥଣ୍ଡା ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ । ବିହାର ଓ ଏହାର ପାଖ ଅଂଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଛି । ତେବେ ଶୀତ ଦିନେ ଏଭଳି ବର୍ଷା ପଛରେ ରହିଥିବା କାରଣ ସମ୍ପର୍କରେ କୃଷି ଓ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ବିଶ୍ୱତାପନ ଯୋଗୁଁ ପାଣିପାଗରେ ପରିବର୍ତନ ଦେଖାଦେଉଛି ।