ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ! ୬ ଜିଲ୍ଲାରେ ପଡିପାରେ ବାତ୍ୟାର ଅଧିକ ପ୍ରଭାବ: ପ୍ରବଳ ବର୍ଷା ସହ ଘଂଟାପ୍ରତି ୧୧୦ରୁ ୧୩୫ କିମି ରହିବ ପବନର ବେଗ

ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । ଏନଡିଆରଏଫ୍ ଓ ଏସ୍ଡିଆରଏଫ୍ ଟିମ୍ ମୂତୟନ

1,262

କନକ ବ୍ୟୁରୋ: ବାତ୍ୟା ଅମ୍ଫାନର ଓଡିଶା ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ ଥିଲେ ମଧ୍ୟ ଏହା ଓଡିଶା ଉପକୂଳର ଅତି ନିକଟରେ ଅତିକ୍ରମ କରିବ । ତେଣୁ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାଠାରୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ଆଜି ଘଂଟାପ୍ରତି ୪୫ ରୁ ୫୫ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ବହିବ । ୧୯ ତାରିଖରେ ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି ।

ଏବଂ ପବନର ବେଗ ୭୫ ରୁ ୮୫ ସର୍ବାଧିକ ୯୫ କିଲୋମିଟର ବେଗରେ ରହିବ । ୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ୨୦ ତାରିଖରେ ଉତରଓଡିଶାରେ ଘଂଟାପ୍ରତି ୧୧୦ ରୁ ୧୨୦ ସର୍ବାଧିକ ୧୩୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସେହି ସମୟରେ ସ୍ଥଳଭାଗ ଛୁଇଁବାକୁ ଥିବା ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନପୁର, ଉତର ଓ ଦକ୍ଷିଣ ୨୪ ପାର୍ଗଣା ଅଂଚଳ, ହାଓଡା, ହୁଗୁଳି ଓ କୋଲକାତାରେ ପ୍ରବଳରୁ ପ୍ରବଳ ବର୍ଷା ସାଙ୍ଗକୁ ୧୨୦ ରୁ ୧୪୦ ସର୍ବାଧିକ ୧୫୫ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଉଛି ।