ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା । ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

201

କନକ ବ୍ୟୁରୋ : ବଙ୍ଗୋପସାଗରରେ କ୍ରମାଗତ ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇପଡ଼ିଛି । ଏତଦ୍‌ବ୍ୟତୀତ ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ।

ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ; ଅର୍ଥାତ୍‌ ଆଜି (ସୋମବାର) ଅପରାହ୍ନରୁ ଆସନ୍ତାକାଲି (ମଙ୍ଗଳବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଓ ଆଭ୍ୟନ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, କୋରପୁଟ, ମାଲକାନଗିରି, କନ୍ଧମାଳ, ରାୟଗଡା, କନ୍ଧମାଳ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଝଡ଼ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ୨୦ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ ବର୍ଷା ଓ ବଜ୍ରପାତ ସମୟରେ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।