ଆସନ୍ତା ୬ରୁ ଲଘୁଚାପ ସମ୍ଭାବନା । ଅଶାନ୍ତ ରହିବ ସମୁଦ୍ର, ସାରା ରାଜ୍ୟରେ ଲାଗି ରହିବ ବର୍ଷା ।

623

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ରର ପ୍ରଭାବ ସେଭଳି ରହିବ ନାହିଁ । ତେବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ରହିଛି । ୬ କିମ୍ବା ୭ ତାରିଖ ବେଳକୁ ତାହା ଲଘୁଚାପ ବଳୟରେ ପରିଣତ ହୋଇପାରେ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଅଗଷ୍ଟ ୫ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୭ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୪ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ୫ତାରିଖ ଯାଏଁ ବରଗଡ଼, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ । ତେବେ ଏହାର ୨୪ଘଣ୍ଟା ପର୍ଯ୍ୟନ୍ତ କୋହଲା ପାଗ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ । ୬ ତାରିଖଠାରୁ ପାଗ ବଦଳିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ୭ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ୫ ତାରିଖ ସକାଳ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗର ଉପରେ ରହିଥିବା ଗଭୀର ଅବପାତ ଦୁର୍ବଳ ହୋଇ ବଙ୍ଗୋପସାଗର ଆଡ଼କୁ ଗତି କରିବ । ବର୍ତ୍ତମାନ ଏହା ମିଆଁମାର ଓ ବାଂଲାଦେଶ ଦେଇ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଏହା ଲଘୁଚାପର ରୂପ ନେଇ ଅଗଷ୍ଟ ୫ ତାରିଖ ରାତିରେ ବଙ୍ଗୋପସାଗର ଉପରେ ପହଞ୍ଚିବ । ସେହିପରି ଦକ୍ଷିଣ ଚାଇନା ଉପରେ ଥିବା ଆଉ ଏକ ଗଭୀର ଅବପାତ ଟ୍ରପିକାଲ ସାଇକ୍ଲୋନରେ ପରିଣତ ହୋଇଛି । ପ୍ରଭାବରେ ଆସନ୍ତା ୫ ତାରିଖରୁ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଦୁଇଟି ଲଘୁଚାପର ମିଶ୍ରଣ ହେବାର ଆଶଙ୍କା ଥିବାରୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ । ଗତ ୧୨ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୪.୪ ମିମି ବର୍ଷା ହୋଇଛି । ମାଲକାନଗିରିରେ ୧୪, ବାରିପଦାରେ ୧୩, ଭୁବନେଶ୍ବରରେ ୬.୬, ବଲାଙ୍ଗୀରରେ ୬.୬ ମିମି ବର୍ଷା ରେକର୍ଡ କରାଯାଇଛି ।