ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଛତିଶଗଡ ଆଡ଼କୁ ମୁହାଁଇଲା ! ବଲାଙ୍ଗୀର,ନୂଆପଡାରେ ଅତିପ୍ରବଳ ବର୍ଷା ସମ୍ଭାବନା

32

କନକ ବ୍ୟୁରୋ : ପ୍ରବଳ ବର୍ଷାର ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପ କେନ୍ଦ୍ରୀୟ ଓଡିଶା ମୁହାଁ ହୋଇଥିବା କହିଛି ପାଣିପାଗ ବିଭାଗ । ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ଘଂଟା ଭିତରେ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ସ୍ଥଳଭାଗକୁ ଗତି କରି ଛତିଶଗଡକୁ ମୁହାଁଇଛି । ସେଠାରୁ ଗୁଜୁରାଟ ଏବଂ ମହାରାଷ୍ଟ୍ରକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଛତିଶଗଡକୁ ମୁହାଁଇବା ପରେ ଓଡିଶାରେ ବର୍ଷାର ପରିମାଣ କମିବ । ତେବେ ସୀମାବର୍ତ୍ତୀ ବଲାଂଗୀର, ନୂଆପଡା ଆଦି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ମାଲାକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁ ଚିତ୍ରକୋଣ୍ଡା ଘାଟିରେ ମାଟି ଅତଡା ଖସି ପଡିଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । କିନ୍ତୁ ପୂର୍ତ୍ତବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମାଟି ସଫା କରାଯାଇଥିବା ଜଣାପଡିଛି । ସେହିପରି ଗତକାଲି ରାତିରେ ଡାଇକ ୩ ରାଜାବାନ୍ଧୋ ଗାଁର ଜଣେ ମହିଳା ବନ୍ୟର ପାଣିରେ ଭାସିଯାଇଥିବା ଜଣାପଡିଛି ।