ଆସୁଛି ଆଉ ଏକ ଲଘୁଚାପ : ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

36

କନକ ବ୍ୟୁରୋ : ଆଗକୁ ବଢ଼ିବ ବର୍ଷା । ଆସନ୍ତା ୧୧ ତାରିଖରୁ ପୁଣି ଥରେ ବର୍ଷା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ପଶ୍ଚିମବଂଗ ସମେତ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ହେଲେ ଏହାପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୧୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖଠାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ସମେତ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତ୍ସିଂହପୁର, ଯାଜପୁରରେ ୧୪ ତାରିଖ ଯାଏ ବର୍ଷାର ପ୍ରଭାବ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।

ସେପଟେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେରଳ କାଝିକୋଡରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ଭାରି ବର୍ଷା ହେତୁ ଭୂସ୍ଖଳନ ମଧ୍ୟ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ଅପରେସନ ଜାରି ରହିଛି । ଖାଲି କାଝକୋଡ ନୁହେଁ କୋଚିରେ ମଧ୍ୟ ସମାନ ପରିସ୍ଥିତି । ବିିଭନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରି ବର୍ଷା କାରଣରୁ ରାଜ୍ୟରେ ୨୩ଜଣ ପ୍ରାଣ ହରାଇଥିବା ବେଳେ ଅନେକ ପାଣିଘେରରେ ଫଶି ରହିଛନ୍ତି । ସେପଟେ ରାଜ୍ୟ ସରକାର ମୁଖ୍ୟ ସଚିବ ଓ ଜିଲ୍ଲାପାଳଙ୍କୁ ବନ୍ୟା ପ୍ରଭାବିତ ଅଂଚଳରେ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।