ଜାଡରେ ଥରୁଛି ଓଡିଶା : ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ; ଆଉ ୩ ଦିନ ଶୀତ ଲହରି

128

କନକ ବ୍ୟୁରୋ : ଜାଡ଼ରେ ଥରୁଛି ଓଡ଼ିଶା । ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ । କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ୩ ଦଶମିକ ୫ ଡିଗ୍ରୀ ଏବଂ ଫୁଲବାଣୀରେ ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝର- କୋରପୁଟରେ ୯ ଡିଗ୍ରୀ, ଝାରସୁଗୁଡ଼ା- ଭବାନୀପାଟଣାରେ ୯ ଦଶମିକ ୨ ଡିଗ୍ରୀ, ଏବଂ ବଲାଙ୍ଗୀରରେ ୯ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୩ ଦଶମିକ ୩ ଏବଂ କଟକରେ ୧୨ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି ।

କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶା‌ରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଯଥା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ଶୀତ ଲହରି ପ୍ରବାହ ଯୋଗୁଁ ଅତ୍ୟଧିକ ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏହାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ପାରଦସ୍ତର ଊର୍ଧ୍ବଗାମୀ ହେବ। ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଶୀତର ପ୍ରକୋପ ଅପେକ୍ଷାକୃତ କମିବ।