ଆଜି ୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା : ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସଂଭାବନା; ଜାରି ହେଲା ୟେଲୋ ୱାର୍ଣ୍ଣିଂ

500

କନକ ବ୍ୟୁରୋ : କାଳବୈଶାଖୀ ପାଇଁ ରାଜ୍ୟରେ ଏବେ ଅନୁକୂଳ ପରିବେଶ ରହିଛି । ଫଳରେ ଗତ କିଛି ଦିନ ହେଲା ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେଉଛି, ଏଥିପାଇଁ ରାଜ୍ୟର ତାତି ବିଶେଷ ବଢ଼ୁନାହିଁ । ରାଜ୍ୟର ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନବରଙ୍ଗପୁରରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଏଥିସହ ଉପକୂଳ ଓଡ଼ିଶାର ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲା ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିଥିବା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବର ସମେତ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ବି ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଦିନର ତାପମାତ୍ରା ୩୮ ଡିଗ୍ରୀ ଓ ରାତି ତାପମାତ୍ରା ୨୩ ଡିଗ୍ରୀ ଭିତରେ ରହିବ ବୋଲି କେନ୍ଦ୍ର କହିଛି ।