ଦାନା ବାନ୍ଧୁଛି ଲଘୁଚାପ! ଆସନ୍ତା ୭ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । କାଲି ଯାଏଁ ୧୧ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ ।

5,062

କନକ ବ୍ୟୁରୋ: ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସମୂଦ୍ର ପତନ ଠାରୁ ଟ୍ରପୋସ୍ପିୟସ ମଧ୍ୟ ଭାଗ ପର୍ଯ୍ୟନ୍ତ ରହିଛି । ଏପରିକି ଆସନ୍ତା ୭ ମଧ୍ୟରେ ଏହି ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାଶବର୍ତ୍ତୀ ଘନୀଭୂତ ହୋଇ ୱେଲମାର୍କଡଲୋ ହେବାର ସମ୍ଭାବନା ରହିଛି । ଏପରିକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ଲଘୁଚାପ ଆସନ୍ତା ୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାନା ରହିଛି ।

ଅନ୍ୟପଟେ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟର ୧୧ଟି ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡିଶା, ଅନୁଗୁଳ, ସୁନ୍ଦରଗଡ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟାଗଡା, ନୁଆପଡାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

ସେହିଭଳି ଭାବେ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ରାୟଗଡା, ଗଜପତି, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।