ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : କୋରାପୁଟ ବୈପାରୀଗୁଡାରେ ପ୍ରବଳ କୁଆପଥର ବର୍ଷା ସହ ପବନ

ଉଡିଗଲା ଚଳଛପର, ଉପୁଡି ପଡିଲା ଗଛ; ଆଜି ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ୟେଲୋ ୱାର୍ଣ୍ଣିଂ

291

କୋରାପୁଟରେ କୁଆପଥର ବର୍ଷା । ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଂଚାୟତରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଅନେକ ଘରର ଚାଳଛପର ଉଡିଯିବା ସହ ଗଛ ସବୁ ଉପୁଡିପଡ଼ିଛି । ଅନେକ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । କୁଆପଥର ବର୍ଷା ଯୋଗୁ ଗଛରେ ବସା ବାନ୍ଧିଥିବା ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି । ସେପଟେ, ଆଜି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ବିଭିନ୍ନ ସ୍ଥାନରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁର. ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।