ରାଜ୍ୟରେ ଶୀତ ଲହରୀ ଜାରି । ଫୁଲବାଣୀରେ ଘନ କୁହୁଡି । ଦାରିଙ୍ଗିବାଡିରେ କମୁଛି ତାପମାତ୍ରା, ପର୍ଯ୍ୟଟକ ନେଉଛନ୍ତି ଶୀତର ମଜା

98

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ନଭେମ୍ବର ପହିଲାରୁ ଶୀତ ଆରମ୍ଭ ହୋଇଥିବା ବେଳେ କିଛି ଦିନ ହେଲା ପାଗରେ ପରିବର୍ତନ ହୋଇ ଶୀତ ଉଭେଇ ଯାଇଥିଲା । ଏବେ ଦୁଇଦିନ ହେଲା ପୁଣି ପାରଦ ଖସିବା ସହ ଶୀତ ବଢିଛି ତା ସାଙ୍ଗକୁ ଘନ କୁହୁଡି ଦିନ ୯ ଟା ପର୍ଯ୍ୟନ୍ତ ମାଡି ରହୁଛି । ଘନ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଜିଲ୍ଲାର ଦାରିଙ୍ଗବାଡିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ ହେଉଥିବା ବେଳେ ବାଲିଗୁଡା,କ.ନୁଆଗାଁ,ଜି.ଉଦୟଗିରି, ରାଇକିଆ, ତୁମୁଡିବନ୍ଧ, ବେଲଘର, ଟିକାବାଲି, ଫୁଲବାଣୀ, ଫିରିଙ୍ଗିଆ ଅଂଚଳରେ ମଧ୍ୟ ଘନ କୁହୁଡି ସାଙ୍ଗକୁ ଶୀତ ବୃଦ୍ଧି ପାଉଛି । ଏହି ଥଣ୍ଡାର ମଜା ନେଉଥିବା ଯୁବ ଗୋଷ୍ଠୀ ଖେଳ ପଡିଆରେ ଫୁଟ୍ବଲ୍, କ୍ରିକେଟ୍ ସାଙ୍ଗକୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ ।

ଅନ୍ୟପଟେ, ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିବ କୋହଲା ପାଗ । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ,‘ନିଭାର’ ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ପାଗ ପରିବର୍ତନ ହେବ। ୨୭ ଯାଏ କୋହଲା ପାଗ ରହିବ। ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ଯଥା ଜଗତସିଂହପୁର, ଖୋର୍ଧା, ପୁରୀ ଓ ଗଞ୍ଜା‌ମ ସହ ଆଭ୍ୟନ୍ତରୀଣ ଦକ୍ଷିଣ ସମ୍ବଲପୁରଠାରୁ ପଶ୍ଚିମକୁ ଥିବା ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ପଡ଼ିବ। ୨୬ ତାରିଖ ଦିନ ବିକ୍ଷୀପ୍ତ ବର୍ଷା ହେବ। ବର୍ଷାର ପରିମାଣ ହାଲ୍‌କାରୁ ସ୍ପଳ୍ପ ରହିବ। ୨୪ ତାରିଖରୁ ରାତିର ତାପମାତ୍ରା ବଢ଼ିବ। ଫଳ‌ରେ ଶୀତ କମିବ। ତେବେ ୨୮ ତାରିଖଠାରୁ ରାତିର ତାପମାତ୍ରା କ୍ରମଶଃ କମିବା ଯୋଗୁଁ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି।