ବର୍ଷା ଆସିଲେ ଭୟ ବଢୁଛି । ବସ୍ତାର ଜଳକା ଦୁର୍ବଳ ନଦୀବନ୍ଧ ନଇକୂଳିଆବାସୀଙ୍କ ମନରେ ଛନକା ଭରୁଛି, ବନ୍ୟା ଆଶଙ୍କାରେ ଲୋକଙ୍କ ଦିନ କଟୁଛି ।

92

କନକ ବ୍ୟୁରୋ : ଗତ ତିନି ଦିନ ଧରି ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିବା ସହିତ ଜଳକା ନଦୀର ଉପର ମୁଣ୍ଡରେ ମଧ୍ୟ ବର୍ଷା ଲଗି ରହିଛି । ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି,ମାତ୍ର ନଦୀରେ ଦୀର୍ଘ ଦିନରୁ ବନ୍ଧ ମରାମତି କରାଯାଇ ନଥିବାରୁ ବନ୍ୟା ସମୟରେ ଭାଙ୍ଗିଯିବାର ଅଶଙ୍କା ରହିଛି,ସେଥିପାଇଁ ଭୟ ଓ ଅଶଙ୍କା ଭିତରେ ଦିନ କାଟୁଛନ୍ତି ନଦୀକୂଳିଆ ଗ୍ରାମବାସୀ ।

ବର୍ଷା ହେଲେ ଭୟ ବଢୁଛି । ଦୁର୍ବଳ ନଦୀ ବନ୍ଧକୁ ଦେଖି ଆଖିରୁ ନିଦ ହଜି ଯାଉଛି । କେତେବେଳେ ବନ୍ଧ ଭାଙ୍ଗି ଘରଦ୍ୱାର ନଦୀ ଗର୍ଭରେ ଲୀନ ହୋଇଯିବ ସେହି ଆଶଙ୍କାରେ ରାତି ବିତୁଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପତ୍ରଝଡା ଠାରୁ ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପର୍ଯ୍ୟନ୍ତ ୩୬ କିଲୋମିଟର ଜଳକା ନଦୀ ବନ୍ଧ ସମ୍ପୁର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଛି । ୨୦୦୮ ମସିହା ବଡ ବନ୍ୟା ପର ଠାରୁ ଏହି ବନ୍ଧ ମରାମତି ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଗତବର୍ଷ ବନ୍ୟା ବେଳେ ବନ୍ଧର ଦୁର୍ବଳ ସ୍ଥାନରେ ପକାଯାଇଥିବା ବାଲି ବସ୍ତା ନଷ୍ଟ ହୋଇଯାଇଥିଲେ ବି ସେଠି ମାଟି ମୁଠାଏ ମଧ୍ୟ ପଡିନାହିଁ ।

ଏହି ନଦୀ ବନ୍ଧ କଡରେ ବସ୍ତା ବ୍ଲକର ପତ୍ରଝଡା, ସଦାନନ୍ଦପୁର, ବାହାର୍ଦ୍ଦା, ମଥାନୀ, ରାଉତପଡା, ଗଡପଦା, ଦୁଧହଂଶା, ବାସିଚକୁରାଇ, ରସଲପୁର, ଶ୍ରୀରାମପୁର ପଂଚାୟତ ରହିଛି । ତେବେ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ନଦୀ ବନ୍ଧ ମରାମତି ପାଇଁ ବାରମ୍ବାର ଦାବି ହୋଇଛି । କିନ୍ତୁ ସ୍ଥାନୀୟ ପ୍ରସାଶନ କି ବୀଭାଗୀୟ ଅଧିକାରୀ କେହି କର୍ଣ୍ଣପାତ କରୁ ନାହାନ୍ତି । ଏ ସମ୍ପର୍କରେ ବସ୍ତା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ କ୍ୟାମେରା ସମ୍ମୁଖରେ ମୁହଁ ଖୋଲୁନଥିବା ବେଳେ ଅଫ୍ କ୍ୟାମେରାରେ କହିଛନ୍ତି ବନ୍ଧ ମରାମତି ପାଇଁ ବିଭାଗ ପାଖରେ ଅର୍ଥ ନାହିଁ । ତେଣୁ ବନ୍ୟା ସମୟରେ ଆବଶ୍ୟକ ହେଲେ ଦୁର୍ବଳ ସ୍ଥାନରେ ବାଲି ବସ୍ତା ପକାଇ ମରାମତି କାରାଯିବ ।