ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା : ମାତୃଭାଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଫଳତା ହାରାହାରି ୩୯ %

338

କନକ ବ୍ୟୁରୋ : ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା । ମାତୃଭାଷାରେ ଦୁର୍ବଳ ଦଶମ ଶ୍ରେଣୀ ଛାତଛାତ୍ରୀ । ବିଶେଷକରି ଦଶମ ଶ୍ରେଣୀର ପିଲା ଓଡ଼ିଆ ଭାଷାରେ ଦୁର୍ବଳ ରହୁଛନ୍ତି । ନିକଟରେ ପ୍ରକାଶିତ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଜାତୀୟ ସ୍ତରରେ ଦଶମ ଶ୍ରେଣୀ ପିଲା ମାତୃଭାଷାରେ ଦୁର୍ବଳ ରହିଥିବା ବେଳେ ଓଡ଼ିଶାରେ ଆହୁରି ଦୟନୀୟ ସ୍ଥିତି ରହିଛି । ଜାତୀୟସ୍ତରରେ ୪୧ ପ୍ରତିଶତ ପିଲା ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶାରେ ଏହି ହାର ୩୮ ପ୍ରତିଶତ ରହିଛି ।

ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ମାନେ ମାତୃଭାଷାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ମତୃଭାଷାରେ ଛାତ୍ରୀଙ୍କ ସଫଳତା ହାର ୩୯ ପ୍ରତିଶତ ଓ ଛାତ୍ରଙ୍କ ସଫଳତା ହାର ୩୮ ପ୍ରତିଶତ ରହିଛି । ସହରାଞ୍ଚଳରେ ଥିବା ପିଲାମାନେ ଏହି ବିଷୟରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନେ ନୈରାଶଜନକ ପ୍ରଦର୍ଶନ କରୁଛନ୍ତି । ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ମଧ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାତୃଭାଷାରେ ଉନ୍ନତ ପ୍ରଦର୍ଶନ କରିପାରୁନାହାଁନ୍ତି । ଓଡିଆ ପିଲା ଓଡିଆରେ ଦୁର୍ବଳ ହେବା ଚିନ୍ତାର ବିଷୟ ପାଲଟିଛି ।

ସାମଜିକ ବିଜ୍ଞାନରେ ଜାତୀୟ ହାର ୩୭% ଥିବାବେଳେ ଓଡ଼ିଶା ପିଲାଙ୍କ ସଫଳତା ହାର ୩୬% ରହିଛି । ବିଜ୍ଞାନରେ ଜାତୀୟ ହାର ୩୫% ଥିବାବେଳେ ରାଜ୍ୟରେ ୩୪%, ଇଂରାଜୀରେ ଯଥାକ୍ରମେ ୪୩% ଓ ୪୨% ରହିଛି । ମାତ୍ର ନାସ୍‌ ପରୀକ୍ଷାର ଗଣିତ ବିଷୟରେ ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାତୀୟହାରଠାରୁ ଉନ୍ନତମାନର ହୋଇଛି । ଇଂରାଜୀରେ ଗ୍ରାମାଞ୍ଚଳ ପିଲାଙ୍କଠାରୁ ଢେର୍‌ ଆଗରେ ସହରାଞ୍ଚଳ ପିଲା ରହିଛନ୍ତି । ଗ୍ରାମାଞ୍ଚଳର ୩୯% ପିଲା ଇଂରାଜୀରେ ଭଲ ପ୍ରଦର୍ଶନ କରିଥିବା ବେଳେ ସହରାଞ୍ଚଳରେ ୫୨% ହୋଇଛି । ସରକାରୀ ବିଦ୍ୟାଳୟଗୁଡ଼ିକ ତୁଳନାରେ ଘରୋଇ ବିଦ୍ୟାଳୟ ପିଲା ଇଂରାଜୀ ବିଷୟରେ ଢେର୍ ଆଗରେ ରହିଛନ୍ତି ।