ମୁହଁ ଖୋଲିଲେ ମୋଦି ! କହିଲେ, ୨୦୧୪ ତୁଳନାରେ ଅଧିକ ଆସନ ଜିତିବୁ , ମହାମେଣ୍ଟ ଏକ ବିଫଳ ଚିନ୍ତାଧାରା

36

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ବିଜେପି ପୁଣି ଥରେ ସରକାର ଗଢିବ । ଏବଂ ୨୦୧୪ ତୁଳନାରେ ଅଧିକ ମାର୍ଜିନରେ ଦଳ ସରକାର ଗଢିବ ବୋଲି ବେଗ ଦୃଢତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ମହାମେଂଟ ଏକ ବିଫଳ ଚିନ୍ତାଧାରା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସରକାର ଭିଡ ମଧ୍ୟରେ ଆକ୍ରମଣକୁ ଏକ ଅପରାଧ ରୁପେ ଗଣନା କରୁଥିବା ମୋଦି ସୁଚାଇଛନ୍ତି ।

୨୦୧୯ ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ତାତି ଆରମ୍ଭ ହୋଇଯାଇଥିବା ବେଳେ ଏକ ଜାତୀୟ ଗଣମାଧ୍ୟମକୁ ଇ-ମେଲ ଯୋଗେ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନରେ ଜିତାପଟ ମାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଟାଇମସ ଅଫ ଇଣ୍ଡିଆକୁ ମୋଦି କହିଛନ୍ତି –ବିକାଶ, ଦ୍ରୁତ ଗତିରେ ବିକାଶ ଏବଂ ସମସ୍ତଙ୍କ ପାଇଁ ବିକାଶ ହିଁ ୨୦୧୯ ନିର୍ବାଚନରେ ବିଜେପିର ମୁଖ୍ୟ ଆଧାର ହେବ । ଆମେ ନିଶ୍ଚିତ ଭାବେ ଗତଥର ଠାରୁ ଏଥର ଅଧିକ ଆସନ ପାଇବୁ । ମୋର ପୁରା ବିଶ୍ୱାସ ଅଛି ଏଥର ୨୦୧୪ ନିର୍ବାଚନରେ ଏନଡିଏ ଜିତିଥିବା ଆସନ ଠାରୁ ଅଧିକ ସଂଖ୍ୟକ ଆସନ ଜିତି ରେକର୍ଡ କରିବୁ ।
ଗୋଟିଏ ପଟେ ଗୋହତ୍ୟା ହେଉ କିମ୍ବା ଅନ୍ୟ ପ୍ରସଙ୍ଗରେ ଭିଡ ମଧ୍ୟରେ ଆକ୍ରମଣ ମୋଦି ସରକାରକୁ କାଠଗଡାରେ ଠିଆ କରିଥିବା ବେଳେ ମୋଦି ଏହି ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି । ମୋଦି କହିଛନ୍ତି, ମୋ ସରକାର ସମସ୍ତ ନାଗରିକମାନଙ୍କର ସୁରକ୍ଷା ଓ ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଏ । ଏବଂ ଆଇନର ଶାସନକୁ ବଳବତର ରଖିବାକୁ ସମ୍ପୁର୍ଣ୍ଣଭାବେ ପ୍ରତିଶ୍ରୁତିବଦ୍ଧ । କୌଣସି ପରିସ୍ଥିତିରେ କୌଣସି ବ୍ୟକ୍ତି ଆଇନ ନିଜ ହାତକୁ ନେଇପାରିବ ନାହିଁ ଏବଂ ହିଂସାକାଣ୍ଡ ଘଟାଇ ପାରିବ ନାହିଁ ।

ମୋଦି ଆହୁରି ମଧ୍ୟ କଂଗ୍ରେସର ରାଫେଲ ଡିଲକୁ ନେଇ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲର ପ୍ରସଙ୍ଗ ଉଠାଇ ସରକାର ଏକ ବଡ ଧରଣର ସ୍କାମ କରିଛନ୍ତି ବୋଲି ଅଭିଯୋଗ ଆଣିଥିବା ବେଳେ ମୋଦି କହିଛନ୍ତି, କଂଗ୍ରେସ ଦଳ ବିଭ୍ରାନ୍ତ କରିବା ସହିତ ବାରମ୍ବାର ଏହାକୁ ରିପିଟ କରୁଛି । ଏହା ସରକାର-ସରକାର ମଧ୍ୟରେ ଚୁକ୍ତି । ଏହା ଏକ ସଚ୍ଚୋଟ ଏବଂ ସ୍ୱଚ୍ଛ ଚୁକ୍ତି । କଂଗ୍ରେସ ଯାହା କହୁଛି ତାହା କେବଳ ଜାତୀୟ ଭାବନାକୁ ନିଚ୍ଚ ଦେଖାଇବା ।