ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମକୁ ସେବାୟତଙ୍କ ବିରୋଧ : ଅଧିନିୟମ ଅନୁସାରେ, ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ, ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

40

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଣିଥିବା ଏହି ବାଇ-ଲକୁ ନେଇ ଆପତ୍ତି ଉଠାଇଛନ୍ତି ଶ୍ରୀମନ୍ଦିର ସେବାୟତ । ଭକ୍ତ-ଭଗବାନ ଓ ସେବାୟକଙ୍କ ଭାବାବେଗକୁ ଆଘାତ ଦେଇ ଏଭଳି ବାଇ-ଲ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ସେବାୟତ । ବାଇ-ଲ ପ୍ରତ୍ୟାହାର ଦାବି କରି ସେବାୟତମାନେ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଲାଗୁ ହେଲେ ସେବାୟତମାନେ ଘର ଆଗରେ ଖଣ୍ଡେ ଇଟା ରଖିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ ।

ତେଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ମହାପ୍ରଭୁଙ୍କ ସେବା କରୁଥିବା ସେବାୟତ ଜାତିକୁ ବଂଚାନ୍ତୁ ବୋଲି ଦାବି କରିଛନ୍ତି ସେବାୟତ । ନହେଲେ ଆଗାମୀ ଦିନରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ଚାରିପଟେ ୩ଶହ ମିଟର ଦୂରରେ ଥିବା ସମସ୍ତ ଲୋକ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି

ଡ୍ରାଫ୍ଟ ନିୟମ ଅନୁସାରେ, ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ ।

ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।