ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ । ବିଦ୍ରୋହୀଙ୍କ ସମୟ ଶେଷ , ଆମ ପାଖରେ ବହୁମତ ଅଛି । ବିଜୟ ଆମର ସୁନିଶ୍ଚିତ ।

244

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ପୁଣିଥରେ ବିଦ୍ରୋହୀ ବିଧାୟକଙ୍କ ପାଇଁ କଡା ବାର୍ତ୍ତା ରଖିଲେ ଶିବସେନା ନେତା ସଞ୍ଜୟ ରାଉତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ସଞ୍ଜୟ କହିଛନ୍ତି, ବହୁତ ସମୟ ଦେଲୁ ଆଉ ନୁହେଁ । ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ରହିବେ, ଫ୍ଲୋର ଟେଷ୍ଟରେ ଆମେ ହିଁ ବିଜୟୀ ହେବୁ । ବିଦ୍ରୋହୀ ବିଧାୟକ ବହୁତ ଭୁଲ ନିଷ୍ପତ୍ତି ନେଇଛନ୍ତି । ଆମ ପାଖରେ ବହୁମତ ଅଛି, ଆମେ ହିଁ ବିଜୟୀ ହେବୁ । ଆମେ ଯାହା କରିବା କଥା କରି ସାରିଛୁ । ପୂର୍ବରୁ ଶରଦ ପାୱାର ବିଧାନସଭାର ବାଚସ୍ପତି ରହି ସାରିଛନ୍ତି, ତେଣୁ ଆଇନର ଲଢେଇରେ ଆମର ବିଜୟ ସୁନିଶ୍ଚିତ । କିଛି ଏଭଳି ଦମ୍ଭୋକ୍ତି ଦେଇ କହିଛନ୍ତି ସଞ୍ଜୟ । ଆଉ ଏହାପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ହୋଇଛି ।

ଏହାପୂର୍ବରୁ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏକନାଥ କହିଥିଲେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେନି ଉଦ୍ଧବ, କାରଣ ସରକାର ଏବେ ଅଳ୍ପମତରେ ରହିଛି । ଏବେ ମୋ ସହ ୩୭ ଶିବସେନା ବିଧାୟକଙ୍କୁ ମିଶାଇ ୫୦ ବିଧାୟକଙ୍କ ସମର୍ଥନ ରହିଛି । ଆଉ ଲୋକତନ୍ତ୍ରରେ ସଂଖ୍ୟାବଳ ସବୁଠୁ ଜରୁରୀ । ଆମକୁ ଏବେ ଡରାଇବାକୁ ପ୍ରୟାସ ଚାଲିଛି । କିନ୍ତୁ ଆମେ ଡରିବାର ପ୍ରଶ୍ନ ଉଠୁନାହିଁ କାରଣ ଆଇନ ଆମ ସପକ୍ଷରେ ଅଛି । ଶିବସେନା ଯେତେ ନୋଟିସ ପଠାଇଲେ ମଧ୍ୟ ଆମେ ଡରିବୁନି ।

ଏହାଛଡା ସିନ୍ଦେ କହିଛନ୍ତି ଖୁବଶୀଘ୍ର ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିବି । କିନ୍ତୁ ଏନେଇ କୌଣସି ତାରିଖ ସ୍ଥିର ହୋଇନାହିଁ । ଏସବୁ ଭିତରେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ । ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସେମାନଙ୍କ ନେତା ଘୋଷଣା କରିଛନ୍ତି । ଏହାସହ ସିନ୍ଦେ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ବିଦ୍ରୋହୀ ଗୋଷ୍ଠୀରେ ନୂଆ ନୂଆ ନେତା ଯୋଗଦେବାରେ ଲାଗିଛନ୍ତି । ମହାରାଷ୍ଟ୍ରର ଆଉ ୨ ଜଣ ସ୍ୱାଧୀନ ବିଧାୟକ ଆସାମର ଗୌହାଟୀରେ ପହଂଚିଛନ୍ତି । ଏହାପୂର୍ବରୁ ଦୁଇ ଜଣ ଶିବସେନା ବିଧାୟକ ମଧ୍ୟ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଥିଲେ ।