ହାରିଗଲା ଚେନ୍ନାଇ କିନ୍ତୁ ମନ ଜିଣିଲେ ୱାଟସନ୍ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେନ୍ନାଇର ବିଜୟ ପାଇଁ କରୁଥିଲେ ସଂଘର୍ଷ ।

3,736

କନକ ବ୍ୟୁରୋ : ଆଇପିଏଲ ୨୦୧୯ରେ ଚେନ୍ନାଇକୁ ଚିତ୍ କରି ଚତୁର୍ଥ ଥର ପାଇଁ ଆଇପିଏଲର ତାଜ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ହାରିଗଲା ସତ, କିନ୍ତୁ କୋଟି କୋଟି କ୍ରୀଡାପ୍ରେମୀଙ୍କ ମନ ଜିଣିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ । ସୁପରସଣ୍ଡେର ଫାଇନାଲ ଫାଇଟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କୁ ଭାବବିହ୍ୱଳ କରିଦେଇଛି ।

ମ୍ୟାଚର ଦ୍ୱିତୀୟ ଇନିଂସରେ ୧୫୦ ରନର ଟାର୍ଗେଟକୁ ନେଇ ଯେତେବେଳେ ଚେନ୍ନାଇ ବ୍ୟାଟିଂ କରୁଥିଲା, ସେତେବେଳେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଉଥିଲେ । ଆଉ ଅନ୍ୟପଟେ ଦଳର ବିଜୟ ପାଇଁ ଏକାକୀ ସଂଘର୍ଷ କରୁଥାନ୍ତି ସେନ୍ ୱାଟସନ୍ । ତେବେ ଖେଳର ମଧ୍ୟଭାଗରେ କ୍ୟାମେରାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ୱାଟସନ୍ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା । ତେବେ କାହାରିକୁ କିଛି ନକହି ଚେନ୍ନାଇର ବିଜୟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟାଟିଂ ଜାରି ରଖିଥିଲେ ଏହି ପୂର୍ବତନ ଅଷ୍ଟ୍ରେଲୀୟ ତାରକା ।

ଦଳକୁ ସିନା ବିଜୟ ଦେଇପାରିଲେନି କିନ୍ତୁ କୋଟି କୋଟି କ୍ରୀଡା ପ୍ରେମୀଙ୍କ ମନ ଜିଣିନେଲେ ୱାଟସନ୍ । ତେବେ ୱାଟସନଙ୍କ ଆହତ ନେଇ ନିଜ ଇଷ୍ଟାଗ୍ରାମ ପେଜରେ ସୂଚନା ଦେଇଥିଲେ ହରଭଜନ ସିଂହ । ସେ ଲେଖିଥିଲେ, ଆଣ୍ଠୁରୁ ରକ୍ତ ବାହାରୁଥିଲେ ମଧ୍ୟ, ୱାଟସନ୍ ଦଳର କୌଣସି ଖେଳାଳୀଙ୍କୁ ଏବାବଦରେ ଜଣାଇନଥିଲେ । ସେ ଆହତ ହୋଇଥିବା ନେଇ ସେତେବେଳେ ଜଣାପଡିଲା, ଯେତେବେଳେ ସେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଆସିଥିଲେ । ତାଙ୍କ ଗୋଡରୁ ବହୁତ ରକ୍ତ ବାହାରିଥିଲା ଏବଂ ଆହତ ସ୍ଥାନରେ ୬ଟି ଷ୍ଟିଚ୍ ପଡିଛି ବୋଲି ମଧ୍ୟ ହରଭଜନ ସିଂହ ନିଜ ଇଷ୍ଟାଗ୍ରାମ ପେଜର ଲେଖିଛନ୍ତି ।

ଫାଇନାଲ ଫାଇଟରେ ଚେନ୍ନାଇ ପାଇଁ ଏକାକୀ ସଂଘର୍ଷ କରି ୮୦ ରନର ଏକ ଦମଦାର ପାଳି ଖେଳିଥିଲେ ସେନ୍ ୱାଟସନ୍ । ଦଳକୁ ବିଜୟଦ୍ୱାରକୁ ନେଇଯାଇଥିଲେ ସତ, କିନ୍ତୁ ବିଜୟ ଦେଇପାରିନଥିଲେ । ଶେଷ ଓଭରରେ ୱାଟସନଙ୍କୁ ଆଉଟ୍ କରି ଖେଳକୁ ନିଜ ଆଡକୁ କରିନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷରେ ଚେନ୍ନାଇକୁ ମାତ୍ର ୧ ରନରେ ହରାଇ ଚତୁର୍ଥ ଥର ଆଇପିଏଲ ବିଜେତା ବନିଥିଲା ମୁମ୍ବାଇ ।