ବନ୍ୟା ଆଶଙ୍କା ଭିତରେ ସମୁଦ୍ରରେ ସେଲଫି ନେବା ପଡିଲା ମହଙ୍ଗା । ଦୀଘା ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ । ବିପଦ ସଂକେତ ଉପରେ ଜଳକା ନଦୀ, ତଳିଆ ଅଞ୍ଚଳରେ ପଶିଲା ପାଣି

173

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପଶିଛି ପାଣି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେନ୍ଦ୍ରାପଡା, କଟକ, ବାଲେଶ୍ୱରର ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ମହାନଦୀରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ । ପଶ୍ଚିମ ଓଡିଶାର କଳାହାଣ୍ଡି, ବରଗଡ, ସୁନ୍ଦରଗଡ ବି ବନ୍ୟାରେ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି । ଜଣେ ଯୁବକ ସମୁଦ୍ରରେ ଭାସିଯାଇଥିବାବେଳେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି । ସମୁଦ୍ର ଅଶାନ୍ତ ରହିଥିବାବେଳେ ପର୍ଯ୍ୟଟକ ସମୁଦ୍ରକୁ ଯାଇଥିଲେ ଓ ସେଲଫି ନେଉଥିଲେ । ଏହି ସମୟରେ ସଂପୃକ୍ତ ଯୁବକଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ଭାସିଯାଇଥିଲେ । ତେବେ ନୋଳିଆ ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଶୁଭାପ୍ରସାଦ ମଣ୍ଡଳ ବୋଲି ଜଣାପଡିଛି ।

ସେପଟେ ମହାନଦୀରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ । କେନ୍ଦ୍ରାପଡାରେ ମଧ୍ୟ ସ୍ଥିତି ସଙ୍ଗୀନ । ଘର ଭିତରେ ବନ୍ୟା ପାଣି ପ୍ରବେଶ କରିଛି । ବେଡ ଉପରେ ଘର ଲୋକେ ବସିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀରେ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ଜଳକା ନଦୀ ଫୁଲିବାରୁ ଗୋଠଗଡ଼ିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି । ନଳକୂପ ବୁଡ଼ି ରହିଥିବା ବେଳେ ଗାଁ ଦାଣ୍ଡରେ ବନ୍ୟାପାଣି ଛିଡା ହୋଇଥିବାରୁ ଗୃହପାଳିତ ପଶୁକୁ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଲୋକେ ।

ପଶ୍ଚିମ ଓଡିଶାର କଳାହାଣ୍ଡି, ବରଗଡ, ସୁନ୍ଦରଗଡ ଜିଲ୍ଲା ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । କଳାହାଣ୍ଡି ଜୟପାଟଣା କୋକଡି ରାସ୍ତାରେ ବଡ଼ପୁଝାରୀଗୁଡା ଠାରୁ କୋକୋଡିକୁ ସଂଯୋଗ କରୁଥିବା ରାସ୍ତାରେ ବ୍ରିଜ୍ ଭୁଷୁଡି ପଡ଼ିଛି । ବରଗଡରେ ଅନେକ ଗାଁ ଏବେ ଜଳମଗ୍ନ ହୋଇଛି । ବର୍ଷା ପାଣି ଘରେ ପଶିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଆଉ ସ୍ଥିତି ବିଗୁଡୁଥିବା ଦେଖି ୨୦୦ ଲୋକଙ୍କୁ ଉଦ୍ଧାର କରିଛି ପ୍ରଶାସନ । ସୁନ୍ଦରଗଡରେ ମଧ୍ୟ ଅସରାଏ ବର୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଫିସ ଭିତରେ ପାଣି ଲହଡି ଭାଙ୍ଗୁଛି । ନିରଞ୍ଜନ ନଗରରେ ରାସ୍ତା ସହିତ ଘରେ ଘରେ ଜମି ରହିଛି ପାଣି । ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଜଗତସିଂହପୁରରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବରେ ଧାନ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।