ଜଳ ଯନ୍ତ୍ରଣାର ଶେଷ କେବେ? ଗ୍ରୀଷ୍ମ ଆରମ୍ଭରୁ ତାତି ବଢିବା ସହ ଅସହ୍ୟ ହେଲାଣି ଜଳ କଷ୍ଟ । କେଉଁଠି ନଳକୂପ ସୁଖିଗଲାଣି ତ ଆଉ କେଉଁଠି ଅଚଳ ।

115

କନକ ବ୍ୟୁରୋ: ଖରା ବଢିବା ସହ ଜଳକଷ୍ଟ ବି ବଢୁଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ କନ୍ଧବୋଲ ଗାଁରେ ଥିବା ଖୋଲା କୂଅରେ ପାଣି ଶୁଖି ଗଲାଣି, ଏପଟେ ନଳକୂପର ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନାହିଁ ।  ଗାଁରେ ନିର୍ମାଣ ହୋଇଥିବା ପ୍ରକଳ୍ପ ମଧ୍ୟ ଆରମ୍ଭରୁ ଅଚଳ ହୋଇ ପଡ଼ିଛି । ତେଣୁ ଗାଁ ଠାରୁ ୧ କି.ମି. ଦୂର ଜଙ୍ଗଲ ଭିତରେ ଥିବା ଚୁଆରୁ ପାଣି ସଂଗ୍ରହ କରି ଶୋଷ ମେଂଟାଉଛନ୍ତି ଲୋକେ ।

ସେହିଭଳି ବଲାଙ୍ଗୀର ଜିଲ୍ଲାରେ ତାତି ସହ ବଢୁଛି ପାନୀୟ ଜଳ ସମସ୍ୟା । କେଉଁଠି ଜଳ ଯୋଗାଣ ବ୍ୟବସ୍ଥା ଖରାପ ତ କେଉଁଠି ନଳକୂପ ନାହିଁ । ବାଧ୍ୟ ହୋଇ ପିଏଚଡିରେ ଆସୁଥବା ଦୂଷିତ ପାଣି ପିଉଛନ୍ତି ବଲାଙ୍ଗୀରର ଲୋକେ । ସହରରେ ବିଭିନ୍ନ ସ୍ଥାନରେ ପାଣି ଟାଙ୍କି ଥିଲେ ମଧ୍ୟ ତାହା ବର୍ଷ ବର୍ଷ ଧରି ସଫା ହେଉ ନଥିବା ଅଭିଯୋଗ ହୋଇଛି । ସେପଟେ ଅନୁଗୁଳ ଜିଲ୍ଲାରେ ବି ଜଳକଷ୍ଟ କିଛି କମ୍ ନୁହେଁ । ଜିଲ୍ଲା ମହୀଧରପୁର ଗାଁର ପ୍ରାୟ ଦେଢଶହ ପରିବାର ପାଣି ପାଇଁ ନାକେଦମ୍ ହେଉଛନ୍ତି । ଗାଁରେ ଅଛି ଗୋଟିଏ ନଳକୂଅ, ଯେଉଁଠି ରାତି ପାହିବା କ୍ଷଣି ଏକାଠି ହୁଅନ୍ତି ପୁରା ଗାଁର ଲୋକ ।