ଖରା ନଆସୁଣୁ ଆରମ୍ଭ ହେଲାଣି ଜଳକଷ୍ଟ : ଗୋଳିଆ ପାଣି ଭରସାରେ କଣାସ ବ୍ଲକ ଅନେକ ଗ୍ରାମବାସୀ

118

କନକ ବ୍ୟୁରୋ : ଗ୍ରୀଷ୍ମ ଋତୁ ଆସିବା ଆଗରୁ ଜଳକଷ୍ଟ । ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଏମିତିକି ଗାଁର ପୋଖରୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଜଳ କଷ୍ଟର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲୀ କଣାସ ବ୍ଲକରେ ।

ପିଇବା ପାଇଁ ପାଣି ନାହିଁ । ଗାଁ ଗଡିଆ ହିଁ ଏକମାତ୍ର ସାହାରା । ପୋଖରୀରେ ଦଳମିସା ଗୋଳିଆ ପାଣିକୁ ନେଇ ପିଇବା ପାଇଁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ସକାଳ ହେଲେ ଗାଁ ମହିଳା ଗରା, ବାଲ୍ଟି ଧରି ଯାଇଥାନ୍ତି ପୋଖରୀକୁ । ଖରା ଆସିବା ଆଗରୁ ଏପରି ଜଳକଷ୍ଟ ଆରମ୍ଭ ହୋଇ ଗଲାଣି ପୁରୀ ଜିଲ୍ଲା କଣାସ ବ୍ଲକରେ । ବ୍ଲକର ପଣ୍ଡିଆକେରା ପଂଚାୟାତର ରମାଟିଆ ପଡା, ନାନା କେରା, ନୂଆ ସାହୀ, ଶିମିଳିପାଟଣା, ଘରଖିଆ, ବଗି ପଡା ଆଦି ଗାଁରେ ଜଳକଷ୍ଟର ଏପରି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଏହିସବୁ ଗାଁରେ ପାଣିସମସ୍ୟା ବର୍ଷ ତମାମ ଦେଖିବାକୁ ମିଳିଥାଏ । ନଳକୂପରୁ ସାଲାଇନ ପାଣି ବାହାରୁଥିବାରୁ ଲୋକେ ପୋଖରୀ ପାଣି ଉପରେ ଭରସା କରୁଛନ୍ତି ।

ସେପଟେ ରାଜ୍ୟସରକାର କଣାସ ବ୍ଲକ ଗଡସାହି ଦୟାନଦୀ କୂଳରେ ୧୮୨ କୋଟି ବୟପେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭରାମ୍ଭ କରିଛନ୍ତି । ହେଲେ ପ୍ରକଳ୍ପ କାମ ଶେଷ ହୋଇ ପାରୁନି । ସେପଟେ ପାଣିଆକେରା ସହିତ ଅନେକ ପଂଚାୟତରେ ଅସ୍ଥାୟୀ କୂଅ ଖୋଳାଯିବ ଏବଂ ପାନୀୟ ସମସ୍ୟା ଦୁର କରାଯିବ ବୋଲି କହିଛନ୍ତି ପାନୀୟ ବିଭାଗ ଯନ୍ତ୍ରୀ । ଏହାସହ ଜଳ ସମସ୍ୟାଥିବା ଗାଁ ଗୁଡିକରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି । କେବେ ସରିବ ମେଘା ଜଳ ପ୍ରକଳ୍ପର କାମ ଆଉ କେବେ ଦୁର ହେବ କଣାସର ଜଳ ସଙ୍କଟ, ତାହା ଦେଖିବାକୁ ବାକି ରହିଲା ।