ପିଇବା ପାଣି ପାଇଁ ରାତି ୪ଟାରୁ ଲମ୍ବା ଲାଇନ । ମହିଳାଙ୍କ ମଧ୍ୟରେ ଠେଲା ପେଲା । ନଜର ଦେଉନି ପ୍ରଶାସନ, ଲୋକେ ହନ୍ତସନ୍ତ ।

79

କନକ ବ୍ୟୁରୋ : ପିଇବା ପାଣି ପାଇଁ ରାତି ୪ଟାରୁ ଲମ୍ବା ଲାଇନ । ମହିଳାଙ୍କ ମଧ୍ୟରେ ଠେଲା ପେଲା । ୫ବର୍ଷ ତଳେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଖୋଳା ଯାଇଥିବା ବୋରିଂ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । କି ଗାଁରେ ଅଚଳ ହୋଇପଡିଥିବା ନଳକୂପ ଗୁଡିକୁ ସଜାଡୁନାହିଁ ପ୍ରଶାସନ । ତେଣୁ ପାଣି ପାଇଁ ଏଭଳି ସ୍ଥିତି ଉପୁଜୁଛି ।

ପାଣିକୁ ନେଇ ପ୍ରାୟ ସବୁ ବେଳେ ଚର୍ଚ୍ଚାରେ ଥାଏ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ । କେତେବେଳେ ଅଧିକ ପାଣି ଯୋଗୁଁ ବନ୍ୟା ତ କେତେବେଳେ ଜଳାଭାବ । ଖରା ଆରମ୍ଭରୁ ପିଇବା ପାଣି ପାଇଁ ଆରମ୍ଭ ହେଲାଣି ସଂଘର୍ଷ । ନଳକୂଅ ପାଖରେ ୪ଟାରୁ ଲାଇନ୍ ଲଗାଉଛନ୍ତି ରାଜକନିକା ବ୍ଲକ ଅବଦୁଲପୁର ଗାଁର ମହିଳା ।

ଗାଁରେ ୫ଟି ନଳକୂପ ରହିଛି । ସେଥିରୁ ୨ଟି ଅଚଳ । ତେଣୁ ବାକି ୩ଟି ନଳକୂପ ଉପରେ ନିର୍ଭର କରୁଛନ୍ତି ୨୦୦ ପରିବାର । ପାଣି ଟୋପାଏ ପାଇଁ ଘରର କାମ ଧନ୍ଧା ଛାଡି ନଳକୂଅ ପାଖରେ ଭିଡ ଲଗାଉଛନ୍ତି ମହିଳା । ସେପଟେ ଗାଁର ଜଳ ସମସ୍ୟା ଦୂର କରିବା ପାଇଁ ୫ ବର୍ଷ ତଳୁ ୨୫ ଲକ୍ଷ ଟଙ୍କାରେ ଖୋଳା ଯାଇଥିବା ବୋରିଂ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନାହିଁ । ଏ ବାବଦରେ ଜିଲ୍ଲପାଳ କହିଛନ୍ତି, ତୁରନ୍ତ ନଳକୂପ ଗୁଡିକୁ ସଜାଡିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ । ତୁରନ୍ତ ନଳକୂପ ଗୁଡିକୁ ସଜାଡିବା ସହ ଗାଁରେ ପାଇପ ପାଣି ଯୋଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।