ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ ଏସଆରସିଙ୍କ ସୂଚନା: ସଜାଗ ରହିବାକୁ ଜରୁରୀ ବିଭାଗକୁ ନିର୍ଦ୍ଦେଶ ସେପଟେ ବଢୁଛି ମହାନଦୀର ଜଳସ୍ତର

49

କନକ ବ୍ୟୁରୋ: ମହାନଦୀରେ ଆସିପାରେ ମଧ୍ୟମ ଓ କ୍ଷୁଦ୍ର ବନ୍ୟା । ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି । ଆଜି ସଂନ୍ଧ୍ୟା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଜରୁରୀ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

 

ଏସ୍‌ଆରସି କହିଛନ୍ତି ଯେ, ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ଜରୁରୀକାଳୀନ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପରିସ୍ଥିତି ନିୟନ୍ତ୍ରାଣଧୀନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଛୁଇଁଛି। ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ରହିଛି ୧୭.୮୦ ମିଟର। ବୈତରଣୀର ଜଳ ପ୍ରବାହ ଯୋଗୁଁ ଭଣ୍ଡାରୀପୋଖରୀ ଅଞ୍ଚଳରେ ୮/୯ଟି ପଞ୍ଚାୟତ ପ୍ରଭାବିତ ହୋଇପାରେ ବୋଲି ଏସ୍‌ଆରସି କହିଛନ୍ତି।

ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୫ ଦଶମିକ ୫୬ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଆସନ୍ତାକାଲି ହୀରାକଦୁର ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । କେତୋଟି ଗେଟ ଖୋଲାଯିବ ତାହା ସ୍ପଷ୍ଟ ହୋଇନାହି । ଗତକାଲି ସକାଳ ୬ଟା ସୁଦ୍ଧା ମୁଣ୍ଡଳି ନିକଟରେ ସେକେଣ୍ଡ ପ୍ରତି ୫୮ ହଜାର ୨୦୦ କୁସ୍ୟେକ ଜଳ ପ୍ରବାହିତ ହେଉଥିବା ବେଳେ ମାତ୍ର ୨୪ ଘଂଟା ଭିତରେ ଏହା ୬ ଲକ୍ଷ ୮୩ ହଜାର କ୍ୟୁସେକ ଜଳକୁ ବୃଦ୍ଧି ପାଇଛି । ଏହା ସହ ନଦୀର ଜଳପତନ ନରାଜ ଠାରେ ୩ ଫୁଟ ବୃଦ୍ଧି ପାଇଛି । ଲଗାତର ଭାବେ ମୁଣ୍ଡଳୀର ଜଳପତନ ବୃଦ୍ଧି ପାଉଥିବା ବେଳେ ସମ୍ବଲପୁର ଓ ବୁର୍ଲାର ବାଦଲ ଫଟା ବର୍ଷା ଜଳ ଆଜି ସୁଦ୍ଧା ମୁଣ୍ଡଳୀରେ ପହଚିଂବ । ଏପଟେ ଆସନ୍ତାକାଲି ହୀରାକୁଦ ଗେଟ ଖୋଲାଯିବା ପରେ ଜଳଭଣ୍ଡାରର ଉଦବୃତ ଜଳ ୪୫ ଘଂଟା ମଧ୍ୟରେ ମୁଣ୍ଡଳୀରେ ପହଚିଂବାର ଥିବାରୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା ରହିଛି ।
ଏପଟେ ଦୁଇ ଦିନର ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇଛି । ବ୍ରାହ୍ମଣୀ,ବୈତରଣୀ,ବୁଢାବଳଙ୍ଗ,ସୁବର୍ଣ୍ଣରେଖା, ବଂଶଧାରା ଓ ଋଷିକୁଲ୍ୟା , ଜଳକା, ଆଦି ନଦୀର ଜଳସ୍ତର କ୍ରମାଗର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବୈତରଣୀ ନଦୀର ଆନନ୍ଦପୁର ନିକଟରେ ଜଳସ୍ତର ବିପଦ ସଂକେତ ଛୁଇଁଛି । ଆଖୁଆପଦା ନିକଟରେ ଜଳସ୍ତର ବିପଦ ସଂକେତ ପାଖରେ ପହଚିଂଛି ।ସେହିପରି ଜଳକାରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳକାର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଏହା ୫.୬୪ ମିଟର ରହିଛି । ସେହିପରି ବୁଢାବଳଙ୍ଗରେ ଜଳସ୍ତର ୮.୧୩ ବିପଦ ସଂକେତ ଥିବା ବେଳେ ଏବେ ୫.୩୮ ମିଟର ଜଳସ୍ତର ରହିଛି ।

ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବିପଦ ସଂକେତ ଛୁଇଁଛି ବୈତରଣୀ । ଏଠାରେ ନଦୀର ବିପଦ ସଂକେତ ୧୭. ୮୩ ଫୁଟ ଥିବା ବେଳେ ଜଳସ୍ତର ବିପଦ ସଂକେତ ପାଖରେ ରହିଛି । ସ୍ପେଟେ ଆନନ୍ଦପୁର ଠାରେ ନଦୀର ବିପଦ ସଂକେତ ୩୮. ୩୬ ଥିବା ବେଳେ ଜଳସ୍ତର ଏବେ ୩୭.୦୮ ଫୁଟରେ ପ୍ରବାହିତ ହେଉଛି । ବୈତରଣୀ ବିପଦ ସଂକେତ ଛୁଇଁବା ଦ୍ୱାରା ଆଉ ୨ରୁ ୩ ଘଂଟା ମଧ୍ୟରେ ଭଣ୍ଡାରୀ ପୋଖରୀ ଓ ଧାମନଗରର ବିଭିନ୍ନ ପଂଚାୟତରେ ପାଣି ପଶିବାର ଆଶଙ୍କା ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ତଳିଆ ଅଂଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛି ।

ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । ଆପଣ ଦେଖୁଛନ୍ତି ସେହି ଦୃଶ୍ୟ । ପ୍ରାୟ ୨ଦିନ ଧରି ଏହିପରି ଜଳବନ୍ଦୀ ହୋଇ ରହିଛି ଭଟ୍ଟାରିକା ମନ୍ଦିର । ମନ୍ଦିର ଚାରିକଡେ ପାଚେରୀ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର ଚାରି କଡେ ପାଣି ରହିଥିବାରୁ ଏଠାରେ ପୂଜା ବନ୍ଦ ରହିଛି । କେବଳ ଏତିକି ନୁହେଁ, ମନ୍ଦିର ଭିତରେ ମଧ୍ୟ ପାଣି ପଶିଯାଇଛି । ମାଆ ଭଟାରିକାଙ୍କ ଚଳନ୍ତି ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି । ଫଳରେ ଲୋକମାନେ ମାଆଙ୍କ ଦର୍ଶନ କରିବାରୁ ବଂ ଚିତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୂର୍ବବର୍ଷମାନଙ୍କରେ ମହାନଦୀରେ ପାଣି ଆସିଲେ ମନ୍ଦିରକୁ ପାଣି ମାଡେ । ଏହି ପାଣିକୁ ନିଷ୍କାସନ କରିବାର ବି କୌଣସି ବାଟ ନାହିଁ । ନଦୀରୁ ପାଣି ଛାଡିବା ପରେ ଏହି ମନ୍ଦିର ପାଣି ଘେରରୁ ମୁକ୍ତ ହୋଇଥାଏ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପାଣିକାଢିବା ନେଇ ନିଜର ଅସହାୟତା ପ୍ରକାଶ କରନ୍ତି । କାହିଁକି ନା ଥରେ ପାଣି ଆସିଲେ ପ୍ରାୟ ୫ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହେ ।

ତିନି ଦିନର ଲଗାଣ ବର୍ଷା ଯୋଗୁଁ କଟକ ବାଙ୍କିରେ ବନ୍ୟା ପରିସ୍ଥିତି । ବାଙ୍କୀର ସୁବର୍ଣ୍ଣପୁର ହୁଳହୁଳା ପୋଲ ଉପରେ ବହୁଛି ବନ୍ୟା ଜଳ । ପୋଲ ଉପରେ ୫ଫୁଟର ପାଣି ବହୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ଦାଳ ଓ ରତାଗଡକୁ ସଂପୂର୍ଣ୍ଣଭାବରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।