ନବନିର୍ମିତ ୫ ମହଲା କୋଠାରେ ବନ୍ୟା ଭ୍ରମ : ନୟାଗଡ କୋର୍ଟ କମ୍ପେ୍ଲକ୍ସ ବେସମେଂଟରେ ଜମି ରହୁଛି ପାହାଡି ଝରଣା ପାଣି

85

କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ସବୁ ପ୍ରକାର କୋର୍ଟ ସୁବିଧା ଉପଲବ୍ଧ କରାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି କୋର୍ଟ କମ୍ପେ୍ଳକ୍ସ । ହେଲେ ଉଦଘାଟନର ମାତ୍ର କିଛି ମାସ ଭିତରେ କୋଠାର ବେସମେଂଟରେ ସୃଷ୍ଟି ହୋଇଛି ବନ୍ୟାର ଭ୍ରମ । କାରଣ ପାହାଡରୁ ଝରୁଥିବା ଏକ ପାଣି ଝର ଉପରେ ନିର୍ମିତ ହୋଇଛି ଏହି ବିଶାଳ ସୌଧ । ଫଳରେ ନୟାଗଡର କୋର୍ଟ ସୌଧର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନ । ତେବେ କୋଠା ନିର୍ମାଣ ଦାୟୀତ୍ୱ ନେଇଥିବା ଆର ଆଣ୍ଡ ବି କତ୍ତ୧ୃର୍ପକ୍ଷ ନିର୍ମାଣ ସ୍ଥଳରେ ପୂର୍ବରୁ ରହିଥିବା ଏହି ଝର ସଂପର୍କରେ ଜାଣିଥିଲେ ନାଁ  ନାହିଁ, ନା ଜାଣିଶୁଣି ଏହାକୁ ଅଣଦେଖା କରିଥିଲେ ସେନେଇ ଉଠିଛି ବଡ ପ୍ରଶ୍ନ ।

୫ ମହଲା ବିଶିଷ୍ଟ  ବିଶାଳ ସୌଧ, ନୟାଗଡର କୋର୍ଟ କଂପ୍ଳେକ୍ସ । କୋଠାର ବେସମେଂଟରେ ଗାଡି ପାର୍କିଂ ବ୍ୟବସ୍ଥା ଥିବା ବେଳେ ଓକିଲମାନେ ବସୁଥିବା ଦେଖିବାକୁ ମିଳୁଛି । ନିଜସ୍ୱ ଘର ନଥିବାରୁ ଓକିଲମାନେ ବସୁଥିବା ବେଳେ ପ୍ରତିଦିନ ଏଠାକୁ ଶହଶହ ଲୋକ ଆସୁଛନ୍ତି । ହେଲେ ଏବେ ଏଠାରେ ସୃଷ୍ଟି ହୋଇଛି ବନ୍ୟାର ଭ୍ରମ । ଦିନରାତି ମୋଟର ଲାଗିଥିଲେ ସୁଦ୍ଧା ପାଣି ଶୁଖିବାର ନାଁ ଧରୁନି । କାରଣ ଦୀର୍ଘ ବର୍ଷ ଧରି ଏହି ରାସ୍ତା ଦେଇ ପାହାଡରୁ ବହିଆସୁଥିବା ଏକ ପାଣି ଝର ଏବେ ଏଠାରେ ଅଟକିଯାଇଛି । ଫଳରେ ଏଠାରେ ଥିବା ଫରେଷ୍ଟ ଅଫିସକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା ।

କୋର୍ଟ କଂପ୍ଳେକ୍ସ ପାଣି ଜମିବାରୁ ବହୁ ଆଇନଜୀବୀ ଏବଂ ସାଧାରଣ ଲୋକ ସମସ୍ୟା ଭୋଗ କରୁଛନ୍ତି । ପାଣି ପଶିଯିବା ଆସିବା କରିବାକୁ ପଡୁଥିବା ବେଳେ ମଶା ମାଛିଙ୍କ ଦୌରାତ୍ମ୍ୟ ବଢୁଛି । ସବୁଠାରୁ ବଡ କଥା ହେଲା ୨୨ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହି କୋଠାର ସ୍ଥାୟୀତ୍ୱ ନେଇ ଏବେ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ପାଣି ଜମା ହେବାର କାରଣ ଓ କୋଠାର ସ୍ଥାୟୀତ୍ୱ ସଂପର୍କରେ ସାଂଘାତିକ ଗୁମର ଖୋଲିଛନ୍ତି ଓକିଲମାନେ ।

ଅନ୍ୟପଟେ ପାହାଡର କିଛି ଅଂଶକୁ କାଟି କୋଠାର ବେସ ତିଆରି କରାଯାଇଥିବା ବେଳେ ଝର ସଂପର୍କରେ କୌଣସି ସୂଚନା ନଥିଲା ବୋଲି କହିଛି ନିର୍ମାଣ ସଂସ୍ଥା । ସମ୍ପ ନିର୍ମାଣ କରାଯାଇ ଏବେ ସ୍ଥିତ ଉପରେ ନଜର ରଖାଯାଇଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ଆର ଆଣ୍ଡ ବିର ନିର୍ବାହୀ ଅଧିକାରୀ  ।