ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ

148

କନକ ବ୍ୟୁରୋ : ଦିନେ ନା ଦିନେ ବିଶ୍ୱରେ ଜଳ ସଂକଟ ଦେଖା ଦେବ । ହେଲେ ତାହା ପୂର୍ବରୁ ଆମେରିକା ଭଳି ଦେଶରେ ଲୋକମାନେ ଯେ ଜଳ ଅଭାବରୁ ବରଫକୁ ତରଳାଇ ବ୍ୟବହାର କରିବେ ତାହା ଭାବିବା ଅସମ୍ଭବ ଥିଲା । ହେଲେ ଏବେ ସେହି ପରିସ୍ଥିତି ଦେଖା ଦେଇଛି । ଆମେରିକାର ଦେଢ କୋଟି ଲୋକ ଜଳ ଅଭାବରୁ ବରଫ ତରଳାଇ ତାହାକୁ ବ୍ୟବହାର କରୂୁଛନ୍ତି ।

ଆମେରିକାର ଟେକ୍ସାସରେ ଚଳିତ ମାସ ଫେବୃଆରୀ ୧୦-୧୧ ତାରିଖରେ ଆସିଥିବା ବରଫ ଝଡରେ ଇଲେକ୍ଟ୍ରିସିଟି ଗ୍ରିଡ ଫେଲ ହୋଇଯାଇଛି । ଫଳରେ ଲକ୍ଷ ଲକ୍ଷ ପରିବାର କିଛିଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଲେ । ଏହାସହିତ ଏତେ ଥଣ୍ଡାରେ ବି ଲୋକମାନେ ବିନା ହିଟରରେ ରହିବାକୁ ବାଧ୍ୟ ହେଲେ । ସବୁଠାରୁ ବଡକଥା ଏବେ ସେଠାରେ ଏତେ ପରିମାଣର ତାପମାତ୍ରା କମ ରହିଛି କି ପାଣି ଯୋଗାଣ ପାଇଁ ବ୍ୟବହୃତ ପାଇପ୍ ଗୁଡିକ ଫାଟି ଯାଇଛି । ଫଳରେ ଲୋକମାନଙ୍କ ନିକଟରେ ପାଣି ପହଂଚାଯାଇ ପାରୁନାହିଁ ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପାଣି ଯୋଗାଣ ହୋଇପାରୁ ନଥିବାରୁ ସେଠାରେ ଲୋକମାନେ ବରଫକୁ ଏକାଠି କରି ତାକୁ ଗରମ କରୁଛନ୍ତି । ଏଥିରୁ ଯେଉଁ ପାଣି ବାହାରୁଛି ତାକୁ ଲୋକମାନେ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଏହାର ସୁଯୋଗ ନେଇ ବୋତଲ ପାଣି ବ୍ୟବସାୟୀ ମାନେ ପାଣିର ଦାମକୁ ଆକାଶଛୁଆଁ କରିଦେଇଛନ୍ତି । ତଥାପି ଲୋକମାନେ ବୋତଲ ପାଣି ନେବାକୁ ଲମ୍ବା ଲାଇନ ଲଗାଉଥବା ଦେଖିବାକୁ ମିଳିଛି । କହିରଖୁ କି ଆମେରିକାର ଟେକ୍ସାସ୍ ସହରରେ ପାଖା ପାଖି ୨.୯ କୋଟି ଲୋକ ବସବାସ କରନ୍ତି । ଏବେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ଜଳ ସଂକଟର ସାମ୍ନା କରୁଛନ୍ତି । ସେପଟେ ବରଫ ତରଳାଇବା ପରେ ଯେଉଁ ପାଣି ମିଳୁଛି ତାହା ସ୍ୱାସ୍ଥ୍ୟପାଇଁ ବିପଦ ବୋଲି କୁହାଯାଇଛି ।