କନକ ବ୍ୟୁରୋ : ବାଲେଶ୍ୱର ରସାଲପୁର ଅଞ୍ଚଳର ଦୀନେଶ ବାରିକ୍ । ଅଷ୍ଟମ ଶ୍ରେଣୀର ଛାତ୍ର । ଦିବ୍ୟାଙ୍ଗ ହୋଇଥିଲେ ବି ତାଙ୍କର କଳା ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିନୟରେ ସେ ଯେପରି ଦକ୍ଷ, ନାଚରେ ସେହିପରି ପାରଙ୍ଗମ । ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ତାଙ୍କ ନିକଟରେ ହାର ମାନିଛି ଶାରୀରିକ ଅକ୍ଷମତା । ବାପା ଗଣେଶ ବାରିକ ଓ ମାଆ ଝୁନୁମଣୀଙ୍କ ସେ ହେଉଛନ୍ତି ଏକମାତ୍ର ପୁଅ । ଦୁଇ ଝିଅ ପରେ କୋଳକୁ ପୁଅ ଆସିବା ପରେ ଖୁସିରେ ଫାଟି ପଡିଥିଲା ପରିବାର । କିନ୍ତୁ ଧୀରେ ଧୀରେ ଦୀନେଶଙ୍କ ଶରୀରରେ ବ୍ୟତିକ୍ରମ ଦେଖା ଯାଇଥିଲା । ଛୋଟ ଓ ବଙ୍କା ହାତ ଗୋଡ଼ ।

Advertisment

ଅନେକ ଚିକିତ୍ସା ପରେ ବି କିଛି ଫଳ ହେଲାନି । ଉଚ୍ଚତା ବଢ଼ିଲା ନାହିଁ, ପାଦ ଓ ପାପୁଲି ବଢ଼ିଲା । ଏପରି ଅବସ୍ଥାରେ ପୁଅର ଭବିଷ୍ୟତ ପାଇଁ ଚିନ୍ତାରେ ପଡି ଯାଇଥିଲେ ବାପା-ମାଆ । କିନ୍ତୁ ଛୋଟ ପିଲା ହେଲେ ବି ଦୀନେଶଙ୍କ ମନୋବଳ ଦୃଢ଼ ଥିଲା । ପିଲା ବେଳୁ ଅଭିନୟ ଓ ନାଚ ପ୍ରତି ରୁଚି ବଢ଼ିଲା । ନିଜ ଚେଷ୍ଟାରେ ଏଥିରେ ସେ ପାରଙ୍ଗମ ହେବାରେ ଲାଗିଲେ । ରିଆଲିଟି ସୋ’ ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି । ଅନେକ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିଛନ୍ତି । ଭବିଷ୍ୟତରେ ଜଣେ ଉଚ୍ଚଶ୍ରେଣୀର କଳାକାର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦୀନେଶ ।