କନକ ବ୍ୟୁରୋ: ଏବେ ଦମଦାର ଚାଲିଛି ଟି-୨୦ ବିଶ୍ୱ କପ୍ । ଏହା ଭିତରେ ଏକ ବଡ ଖୁଲାସା କରିଛନ୍ତି ପାକିସ୍ତାନ ପୂର୍ବତନ କ୍ୟାପ୍ଟେନ୍ ୱାସିମ୍ ଅକ୍ରମ୍ । ତାଙ୍କର ପୁସ୍ତକ ଉନ୍ମୋଚନ ଅବସରରେ ନିଜ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି ।
ଏହା ଭିତରେ ୱାସିମ୍ ଅକ୍ରମଙ୍କର ଲିଖିତ ଏକ ପୁସ୍ତକ ଉନ୍ମୋଚନ ହୋଇଛି । ଏଥିରେ ଜୀବନର କିଛି ନିଚ୍ଛକ ସତକୁ ପକାଶ କରିଛନ୍ତି ୱାସିମଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେେଳେ ସେ କୋକେନର ଅଭ୍ୟାସରେ ପଡିଯାଇଥିଲେ । ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ କୋକେନର ବଦଭ୍ୟାସରେ ପଡିଯାଇଥିଲେ ୱାସିମ । ଅବସର ସାଙ୍ଗକୁ ୨୦୦୯ରେ ପତ୍ନୀ ହୁମାଙ୍କ ମୃତ୍ୟୁ ତାଙ୍କୁ ମାନସିକ ଅବସାଦ ଆଡକୁ ନେଇଯାଇଥିଲା । ତେଣୁ କୋକେନର ଅଭ୍ୟାସରେ ସେ ପଡିଯାଇଥିବା ତାଙ୍କର ଆତ୍ମକଥା ‘ସୁଲତାନ୍: ଏ ମେମୋୟିର’ରେ ଲେଖିଛନ୍ତି । ଗଣମାଧ୍ୟମର ଏକ ସାକ୍ଷାତକାରରେ ମଧ୍ୟ ସେ ଏକଥାକୁ ସ୍ୱୀକାର କରିଥିବା ଜଣାପଡିଛି ।
ୱାସିମ୍ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କୁ ପାର୍ଟି ବହୁତ ଭଲଲାଗୁଥିଲା । ଏଥିପାଇଁ ସେ ବିଦେଶରେ ରହିବାକୁ ଇଚ୍ଛୁକ ଥିଲେ । ଏହି ସମୟରେ ଏକ ପାର୍ଟିରେ ତାଙ୍କୁ କୋକେନ୍ ପରିବେଷଣ କରାଯାଇଥିଲା । ସେହି ଦିନଠୁ ସେ ଏହାର ଅଭ୍ୟାସରେ ପଡିଯାଇଥିଲେ । ଏଥିରେ ସେ ଏପରି ଫସିଯାଇଥିଲେ ଯେ, କରାଚି ନିଜ ସମ୍ପର୍କୀଙ୍କ ପାଖକୁ ବି ଯିବାକୁ ଚାହୁଁନଥିଲେ । ୱାସିମ୍ ନିଜେ ପାର୍ଟିରେ ମଜ୍ଜି ରହୁଥିବାବେଳେ ତାଙ୍କ ପତ୍ନୀ ହୁମା ଏକା ହୋଇଯାଉଥିଲେ । ହୁମା କରାଚିରେ ନିଜ ପରିବାର ସହ ସମୟ କାଟିବାକୁ ଚାହୁଁଥିଲେ ବି ୱାସିମ୍ ଆସିବାକୁ ଚାହୁଁନଥିଲେ ।
ଦିନେ ୱାସିମଙ୍କ ପକେଟରୁ କୋକେନ୍ ପାଇଥିଲେ ହୁମା । ଏ ନେଇ ପଚାରିବାରୁ ସତକଥା ମାନିଯାଇଥିଲେ ୱାସିମ । କୋକେନ୍ ବିନା ସେ କିଛି ବି କାମ କରିପାରିବେ ନାହିଁ ବୋଲି କହିଥିଲେ ।
Follow Us