ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳୀଳ ନାଚ : କଟକଣା ଲଗାଇଲା ବିଏମସି; ରାଣୀ ପଣ୍ଡାଙ୍କ ପାଇଁ ଲକ୍ଷ୍ମଣ ରେଖା

683

କନକ ବ୍ୟୁରୋ : ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳୀଳ ନାଚ । କଟକଣା ଲଗାଇଲା ବିଏମସି । ପୋଲିସ ବି ଯାତ୍ରା ଆୟୋଜକ କମିଟିକୁ କରାଇଲେ ସତର୍କ । ଅଶ୍ଳୀଳ ନୃତ୍ୟ ପରିବେଶଣ କଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଛି ପ୍ରଶାସନ । ଯାତ୍ରା ପାର୍ଟିମାନେ ଯେମିତି ବାହାରୁ ନୃତ୍ୟ ଶିଳ୍ପୀ ଆଣି ଯାତ୍ରା ପରିବେଷଣ ନକରିବେ, ନିଜ କଳାକାରଙ୍କୁ ନେଇ ଯାତ୍ରା ପରିବେଶଣ କରିବେ ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

ଏଥିସହ ଯାତ୍ରା ପାର୍ଟି ମାନେ ମଞ୍ଚରେ ଯେମିତି କୌଣସି ଅଶ୍ଳୀଳ ନୃତ୍ୟ ପରିବେଶଣ ନକରିବେ, ତାହା ନିଶ୍ଚିତ କରିବାକୁ କୁହାଯାଇଛି । ବିଶେଷକରି ଅଶ୍ଳୀଳ ନୃତ୍ୟ କରି ଚର୍ଚ୍ଚାରେ ଥିବା ରାଣୀ ପଣ୍ଡାଙ୍କ ନୃତ୍ୟ ଉପରେ ସ୍ୱତନ୍ତ୍ର ନଜର ଦେବାକୁ କୁହାଯାଇଛି । ରାଣୀ ପଣ୍ଡା କେବଳ ପୂରା ପୋଷାକରେ ନୃତ୍ୟ ପରିବେଶଣ କରିବାକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ସାଧାରଣ ଲୋକ ପରିବାର ସହ ଯାତ୍ରା ଦେଖିବାକୁ ଆସିବେ ବୋଲି କୁହାଯାଉଛି । ପ୍ରଶାସନର ଏପରି ନିର୍ଦ୍ଦେଶକୁ ସ୍ୱାଗତ ଜଣାଇଛନ୍ତି ବହୁ କଳାକାର । କରୋନା ଯୋଗୁଁ ଦୁଇ ବର୍ଷର କଟକଣା ପରେ ଏଥର ପୁଣି ଥରେ କମ୍ପିବ ଖଣ୍ଡଗିରି ଯାତ୍ରା ପଡିଆ ।

ମଇଦାନରେ ଏଥରକ ୧୧ ଅପେରା ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ । ଯାତ୍ରା ପରିବେଶଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଆବଶ୍ୟକ ଅନୁମତି ମିଳିଥିବା ଜଣାଯାଇଛି । ହାତରେ ସପ୍ତାହକରୁ କମ୍ ସମୟ ଥିବାରୁ କମିଟି ଓ ଅପେରା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ମାଘ ମେଳାରେ କେମିତି ହେବ ଯାତ୍ରା, ଯାତ୍ରାରେ ଅଶ୍ଳିଳ ନାଚ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଭିତରେ ସାମନାକୁ ଆସିଛି ପ୍ରଶାସନର ଏହି ନିର୍ଦ୍ଦେଶ ।