ଭିସୁଟ ଛାତ୍ରୀଙ୍କ ମୃତ୍ୟୁ ଗୁମର: ସୁରାକ ପାଉନି କି ପୁଲିସ?

136

କନକ ବ୍ୟୁରୋ: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ବି ସମ୍ବଲପୁର ପୁଲିସର ହାତ ଖାଲି । ପାୱାର ଚ୍ୟାନେଲରୁ ମୃତଦେହ ଜବତ ପରଠୁ ପୁଲିସ ତନାଘନା ଚଲାଇଥିଲେ ବି ମୃତ୍ୟୁ ପଛର କାରଣ ଖୋଜି ବାହାର କରିପାରୁନାହିଁ ।
ଚିନ୍ମୟୀ ନିଜେ ପାୱାର ଚ୍ୟାନେଲକୁ ଡେଇଁପଡିଲେକି? ନା’ ଅନ୍ୟ କିଏ ତାଙ୍କୁ ଧକ୍କା ଦେଇଥିଲା? ଖସି ପଡିଲା ବେଳେ କିଏ କିଏ ଥିଲେ? ଆତ୍ମହତ୍ୟା ପାଇଁ କିଏ ଉସକେଇଥିଲେ କି? ଚିନ୍ମୟୀଙ୍କୁ ମୃତ୍ୟୁ ପାଇଁ କିଏ ଦାୟୀ? ଏସବୁ ପ୍ରଶ୍ନର ଉତ୍ତର ମିଳି ନାହିଁ ।

ରବିବାର ପୁଲିସ ପ୍ରଶାସନର ଉଚ୍ଚଅଧିକାରୀ ବୁର୍ଲା ଏସଡିପିଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଚିନ୍ମୟୀଙ୍କ ମୃତ୍ୟୁ ପଛର ଗୁମର ଫିଟାଇବାକୁ ଉଦ୍ୟମ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ ସାମ୍ନାରେ ସାକ୍ଷୀମାନଙ୍କୁ ଜେରା କରାଯାଇଛି । ସାକ୍ଷୀଙ୍କ ସହ ସନ୍ଦେହ ଘେରରେ ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଏହାଛଡା ଜବତ ସିସିଟିଭି ଫୁଟଜେକୁ ପରିବାର ଲୋକ ଓ ସାକ୍ଷୀଙ୍କୁ ଦେଖାଇ ପୁଲିସ ମୃତ୍ୟୁର କାରଣ ଜାଣିବାକୁ ଦେଖାଇଥିବା ସୂଚନା ମିଳିଛି ।

ସେପଟେ ଚିନ୍ମୀୟ ସାହୁ ମୃତ୍ୟୁ ମାମଲାରେ ବର୍ତମାନ ସୁଦ୍ଧା ପୁଲିସ ୩୧ ଜଣଙ୍କୁ ପଚରାଉଚରା କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରୀତିମାନ ଦେ, ମାନସ ଟୁଡୁ, ୫ ଜଣ ଦୋକାନୀ, ଜଣେ ଢାବା ମାଲିକ । ଏହାଛଡା ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣକ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରିଛି । ସେହିପରି ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ ଗୁଡ଼ିକୁ ବି ଟିକିନିଖି ଯାଞ୍ଚ କରୁଛି । ଶୁକ୍ରବାର ଚିନ୍ମୟୀଙ୍କ ରୁମରୁ ପୁଲିସ ଜବତ କରିଥିବା ଲାପଟପ୍, ହାର୍ଡଡିସ୍କ, ପେନଡ୍ରାଇଭ୍, ଡାଏରିକୁ ଲ୍ୟାବକୁ ପଠାଇଥିବା ଜଣାପଡ଼ିଛି ।