କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ 

105
କନକ ବ୍ୟୁରୋ : ଓଡ଼ିଶା ଗାଁରେ ପଡ଼ିଶା ଭୋଟ୍ ଶେଷ । କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଂଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ଦୁଇଟି ପଂଚାୟତ ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ  ଫାଟୁସିନେରି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଓଡିଶା ଭୋଟର । ୬୧୫ ଜଣ ଭୋଟ ଦେଇଛନ୍ତି । ସାଲୁର ପଂଚାୟତ ଅଫିସର ଏନେଇ ସୂଚନା ଦେଇଛନ୍ତି ।
ଏମାନଙ୍କ ପାଖରେ ଦୁଇଟି ଯାକ ରାଜ୍ୟର ଭୋଟ ପରିଚୟ ପତ୍ର ରହିଛି । ଓଡିଶାର ଲୋକଙ୍କୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରି ଲୋଭ ଦେଖାଇ, ନିଜର କରିବା ପାଇଁ ସବୁ ବଳ ଲଗାଇ ଦେଇଛି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରର କଡା ସୁରକ୍ଷା ଭିତରେ ହୋଇଛି ପଂଚାୟତ ନିର୍ବାଚନ ପାଇଁ ମତଦାନ । ସେପଟେ କୋଟିଆ ଭଳି ଗଂଜାମ ଜିଲ୍ଲାର ପାତ୍ରପୁରରେ ମଧ୍ୟ ନିର୍ବାଚନ ଜାରି ରହିଛି । ପାତ୍ରପୁରର ବ୍ଲକର ତୁମ୍ବା ପଂଚାୟତରେ ବି ମତଦାନ ଚାଲିଛି । ୮ଟି ଗାଁରେ ଭୋଟ୍ ପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିଥିବା ବେଳେ ଭୋଟରଙ୍କୁ ରୋକିବା ପାଇଁ ଗଂଜାମ ପ୍ରଶାସନ ଉଦ୍ୟମ କରୁଛି । ଓଡିଶାର ଲୋକେ କେଭଳି ଆନ୍ଧ୍ର୍ର ମତଦାନ କେନ୍ଦ୍ର୍ରକୁ ନଯିବେ, ସେମାନଙ୍କୁ ଜଗିବା ପାଇଁ ପାତ୍ରପୁର ଅଂଚଳର ବିଭିନ୍ନ ସ୍ଥାନରେ ଓଡିଶା ସରକାରଙ୍କ ଅଧିକାରୀ ଓ ଗଂଜାମ ପୁଲିସ ଜଗି ରହିଛନ୍ତି । କେବଳ କୋରାପୁଟ, ଗଂଜାମ, ନୁହେଁ ଗଜପତି ଜିଲ୍ଲାର କେତେକ ସୀମାନ୍ତବର୍ତୀ ଗାଁରେ ମଧ୍ୟ ପଂଚାୟତ ନିର୍ବାଚନ କରାଉଛି ଆନ୍ଧ୍ର ।