ରନଆଉଟକୁ ନେଇ ଦୀପ୍ତିଙ୍କୁ ଟାର୍ଗେଟ କରୁଥିଲେ ଇଂଲଣ୍ଡ କ୍ରିକେଟର ବ୍ରଡ ଓ ଆଣ୍ଡରସନ । ଆଇସିସି ନିୟମର ସ୍କ୍ରିନସଟ୍ ସେୟାର କରି ମୁହଁ ଚୁପ୍ କରିଦେଲେ ସେହୱାଗ୍ ।

2,253

କନକ ବ୍ୟୁରୋ : ଇଂଲଣ୍ଡ ମାଟିରେ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଦଳ । ଇଂଲଣ୍ଡ ଦଳକୁ ୩-୦ରେ ମାତ୍ ଦେଇ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଶେଷ ଦିନିକିଆ ମ୍ୟାଚ୍ ଏଥିପାଇଁ ଆହୁରି ସ୍ମରଣୀୟ ହୋଇଥିଲା କାରଣ ଏହା ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୌସ୍ୱାମୀଙ୍କର ଶେଷ ମ୍ୟାଚ୍ ଥିଲା । ଆଉ ଏହି ମ୍ୟାଚରେ ବିଜୟ ଝୁଲଣ ଗୌସ୍ୱାମୀଙ୍କ ଶେଷ ମ୍ୟାଚକୁ ଆହୁରି ସ୍ମରଣୀୟ କରିଛି । ତେବେ ଏହି ମ୍ୟାଚକୁ ନେଇ ଏବେ ଆଲୋଚନା-ସମାଲୋଚନାର ପର୍ବ ମଧ୍ୟ ଆରମ୍ଭ ହୋଇଛି । ଦୀପ୍ତି ଶର୍ମାଙ୍କ ରନଆଉଟକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି । କାରଣ ଇଂଲଣ୍ଡର ବ୍ୟାଟର ଚାଲୋର୍ଟ ଡିନଙ୍କୁ ମଙ୍କଡିଙ୍ଗ ଆଉଟ କରି ଦୀପ୍ତି ଶର୍ମା ଭାରତକୁ ଏହି ବିଜୟ ଭେଟି ଦେଇଥିଲେ ।

ଦୀପ୍ତି ଶର୍ମାଙ୍କ ଯେଉଁଭଳି ଭାବେ ଚାଲୋର୍ଟ ଡିନଙ୍କୁ ରନ ଆଉଟ କଲେ ତାହା ଆଇସିସିର ନିୟମ ଅନୁଯାୟୀ ବୈଧ । ପୂର୍ବରୁ ମଧ୍ୟ ଏଭଳି ଅନେକ କ୍ରିକେଟର ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି । କିନ୍ତୁ ଏହାକୁ ସହଜରେ ହଜମ କରିପାରିନାହାନ୍ତି ଇଂଲଣ୍ଡର କ୍ରିକେଟର । କାରଣ ଇଂଲଣ୍ଡ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଦୀପ୍ତି ଶର୍ମା ନାଟକୀୟ ଢଙ୍ଗରେ ଚାଲୋର୍ଟଙ୍କୁ ଆଉଟ କରିଥିଲେ । ଆଉ ଚାଲୋର୍ଟ ଆଉଟ ହେବା ସହ ଇଂଲଣ୍ଡ ଇନିଂସର ପରିସମାପ୍ତି ହୋଇଥିଲା ଓ ଭାରତ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ କରିଥିଲା ।

ତେବେ ଏଭଳି ରନଆଉଟକୁ ନେଇ ଇଂଲଣ୍ଡର କ୍ରିକେଟର ଷ୍ଟୁଆର୍ଟ ବ୍ରଡ କହିଛନ୍ତି, ମୋତେ ବ୍ୟକ୍ତିଗତ ଭାବେ ଏଭଳି ଅନ୍ଦାଜରେ ଜିତିବା ପସନ୍ଦ ନୁହେଁ । କିନ୍ତୁ ଯଦି କେହି ଏଭଳି ଆଉଟକୁ ନେଇ ଖୁସି ହେଉଥାନ୍ତି ତେବେ ଏଥିରେ ମଧ୍ୟ ମୁଁ ଖୁସି । ସେହିଭଳି ସାଥୀ ଖେଳାଳୀ ଜେମ୍ସ ଆଣ୍ଡରସନ କହିଛନ୍ତି, ଖେଳାଳୀ ମାନେ ଏଭଳି କରିବାର କଣ ଆବଶ୍ୟକତା ରହିଛି ତାହା ମୁଁ ବୁଝିପାରେନି । ସେହିଭଳି ସାମ ବିଲିଙ୍ଗସ୍ କହିଛନ୍ତି, ବୋଲର ଷ୍ଟ୍ରାଇକର ଏଣ୍ଡକୁ ବି ଦେଖୁନାହାନ୍ତି ।

ଗୋଟିଏ ପଟେ ଦୀପ୍ତିଙ୍କୁ ଇଂଲଣ୍ଡ କ୍ରିକେଟର ଟାର୍ଗେଟ କରୁଥିବା ବେଳେ ଅନ୍ୟପଟେ ଦୀପ୍ତିଙ୍କ ସମର୍ଥନରେ ବାହାରିଛନ୍ତି ଭାରତୀୟ କ୍ରିକେଟର । ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହୱାଗ ନିଜ ଟ୍ୱିଟ୍ ମାଧ୍ୟମରେ ଇଂଲଣ୍ଡ କ୍ରିକେଟରଙ୍କ ମୁହଁ ଚୁପ୍ କରି ଦେଇଛନ୍ତି । ସେହୱାଗ ଆଇସିସିର ନିୟମ ବାବଦରେ ଏକ ଟ୍ୱିଟ୍ ସେୟାର କରିଛନ୍ତି । ଗୋଟିଏ ଫଟୋରେ ସେହୱାଗ ଲେଖିଛନ୍ତି କ୍ରୀଡାର ଉଦ୍ଭାବନ କର ଏବଂ ନିୟମ ଭୁଲିଯାଅ । ଇଂଲଣ୍ଡର ଜାତୀୟ ପତାକା ଚିହ୍ନ ରଖି କିଛି ଏଭଳି କହିଛନ୍ତି ସେହୱାଗ । ସେହିଭଳି ପୋଷ୍ଟର ଅନ୍ୟ ଏକ ଫଟୋରେ ଆଇସିସିର ରନଆଉଟ ନିୟମ ଥିବା ସ୍କ୍ରିନସଟ୍ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଇଂଲଣ୍ଡର କିଛି ଲୋକଙ୍କୁ ଦେଖି ଖୁସି ଲାଗୁଛି ଯେଉଁମାନେ ଶୋଚନୀୟ ଭାବେ ହାରି ଯାଇଛନ୍ତି ।

କେବଳ ସେହୱାଗ ନୁହଁନ୍ତି ବରଂ ଅଶ୍ୱିନୀ ମଧ୍ୟ ଦୀପ୍ତି ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି । ଅଶ୍ୱିନୀ ଟ୍ୱିଟ୍ କରି କହିଛନ୍ତି ମୋତେ କାହିଁକି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛନ୍ତି? ଆଜି ରାତିର ବୋଲିଂର ହିରୋ ହେଉଛନ୍ତି ଦୀପ୍ତି ଶର୍ମା । କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ଅନେକ ଭାରତୀୟ କ୍ରିକେଟପ୍ରେମୀ ମଧ୍ୟ ଦୀପ୍ତିଙ୍କ ଏଭଳି ରନଆଉଟକୁ ସମର୍ଥନ କରିଛନ୍ତି । ଆଉ ଲେଖିଛନ୍ତି ଯେଉଁଭଳି କର୍ମ ସେହିଭଳି ଫଳ । ଇଂଲଣ୍ଡ କ୍ରିକେଟର ଖେଳ ଭାବନା କଥା ଉଠାଉଛନ୍ତି ବା କିପରି? ବିଶ୍ୱକପ୍ କଥା ଭୁଲି ଯାଉଛନ୍ତି ବା କେମିତି? କିଛି ଏମିତି କହି ଇଂଲଣ୍ଡ କ୍ରିକେଟରଙ୍କୁ ସମାଲୋଚନା କରିଛନ୍ତି କ୍ରିକେଟପ୍ରେମୀ ।