ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କ ପାଇଁ ସେହୱାଗ ନେଲେ ବଡ ନିଷ୍ପତ୍ତି । ଆପଣ ବି ଜାଣିଲେ ପ୍ରଶଂସା ନକରି ରହିପାରିବେନି ।

11,493

କନକ ବ୍ୟୁରୋ : ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଶହ ଶହ ଆହତ ଯାତ୍ରୀ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତ ଯାତ୍ରୀ ସୁସ୍ଥ ହୋଇ କିଭଳି ଘରକୁ ଫେରିବେ ସେନେଇ ପ୍ରାର୍ଥନା କରୁଛି ପୂରା ଦେଶ । ସ୍ଥାନୀୟ ବାସିନ୍ଦା ଯେଉଁଭଳି ଢଙ୍ଗରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଲେ ତାହା ବାସ୍ତବରେ ପ୍ରଶଂସନୀୟ । ଏସବୁ ଭିତରେ ଅନେକ ଲୋକ ଆହତ ଯାତ୍ରୀଙ୍କୁ ନିଜ ନିଜ ସ୍ତରରେ ସହଯୋଗ କରିବାକୁ ପଛାଇ ନାହାନ୍ତି । ଏସବୁ ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଦେଶବାସୀଙ୍କ ମନ ଜିଣିଛି । ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଛନ୍ତି ସେହୱାଗ ।

ବାହାନଗା ଟ୍ରେନ୍ ଦୁର୍ଘଟଣାର ଫଟୋ ସେୟାର କରିବା ସହ ଟ୍ୱିଟ୍ କରି ସେହୱାଗ କହିଛନ୍ତି, ଏହି ଚିତ୍ର ଆମକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟଥିତ କରିବ । ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କର ପାଠ ପଢାର ତ ଧ୍ୟାନ ରଖିପାରିବି । ଏଭଳି ପିଲାଙ୍କୁ ସେହୱାଗ ସ୍କୁଲ ଅଫ୍ ବୋଡିଙ୍ଗରେ ମାଗଣାରେ ପଢାଇବାକୁ ଘୋଷଣା କରିଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର । ନିଜ ପ୍ରିୟଜନଙ୍କୁ ହରାଇଥିବା ସବୁ ପରିବାର ପାଇଁ ପ୍ରାର୍ଥନା ଏବଂ ସମସ୍ତ ସାହସୀ ଲୋକଙ୍କ ପାଇଁ ତାଳି, ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସମସ୍ତ ମେଡିକାଲ ଟିମ୍ ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଯେଉଁମାନେ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଏଥିରେ ଆମ ସମସ୍ତେ ସାଥୀରେ ଅଛୁ ।

କେବଳ ସେହୱାଗ ନୁହଁନ୍ତି ଦେଶର ଜଣାଶୁଣା ଉଦ୍ୟୋଗପତି ଗୌତମ ଅଦାନୀ ମଧ୍ୟ ଏଭଳି କିଛି ଘୋଷଣା କରିଛନ୍ତି । ଅଦାନୀ ଟ୍ୱିଟ୍ କରି କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କର ପାଠପଢା ଖର୍ଚ୍ଚ ଅଦାନୀ ଗ୍ରୁପ୍ କରିବ ।