ବିରାଟଙ୍କ ବଡ ବୟାନ । ବାଙ୍ଗାଲୋର ସହ ଆଉ ୩ ବର୍ଷ, ମୋର ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ଅଛି ।

227

କନକ ବ୍ୟୁରୋ : ଶେଷ ହୋଇଛି ରିଟେନ ପ୍ରକ୍ରିୟା । ବାଙ୍ଗାଲୋର ଫ୍ରାଞ୍ଚାଇଜ ବିରାଟ କୋହଲି, ମ୍ୟାକ୍ସୱେଲ ଓ ସିରାଜଙ୍କୁ ରିଟେନ କରିଛି । ଆଉ ରିଟେନ ପ୍ରକ୍ରିୟା ଶେଷ ହେବା ପରେ ବିରାଟ କୋହଲି ବଡ ବୟାନ ରଖିଛନ୍ତି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବାଙ୍ଗାଲୋର ସହ ଅନୁବନ୍ଧିତ ହୋଇଥିବା କହିଛନ୍ତି କୋହଲି । ବାଙ୍ଗାଲୋର ବ୍ୟତୀତ ତାଙ୍କ ମନକୁ ଅନ୍ୟ କୌଣସି ବିଚାର ଆସିନଥିବା କହିଛନ୍ତି ବିରାଟ । ପୂର୍ବ ତୁଳନାରେ କମ ପାରିଶ୍ରମିକରେ ବାଙ୍ଗାଲୋର କୋହଲିଙ୍କୁ ରିଟେନ କରିଛି । ତେବେ ଦଳର ସ୍ୱାର୍ଥ ଦୃଷ୍ଟିରୁ କୋହଲି କମ ପାରିଶ୍ରମିକରେ ମଧ୍ୟ ବାଙ୍ଗାଲୋର ସହ ରହିବାକୁ ରାଜି ହୋଇଛନ୍ତି । ବାଙ୍ଗାଲୋର ପୂର୍ବରୁ କୋହଲିଙ୍କୁ ୧୭ କୋଟି ଟଙ୍କା ଦେଉଥିବା ବେଳେ ଏବେ ୧୫ କୋଟି ଟଙ୍କାରେ ରିଟେନ କରିଛି ।

ରିଟେନ ପ୍ରକ୍ରିୟା ଶେଷ ହେବା ପରେ ଆରସିବି ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି, ଯେଉଁଥିରେ କୋହଲି କହିଛନ୍ତି ଯାତ୍ରା ଜାରି ରହିଛି । ଆରସିବି ମୋତେ ରିଟେନ କରିଛି । ଯେତେବେଳେ ଟିମ୍ ପକ୍ଷରୁ ମୋ ସହ ସମ୍ପର୍କ କରାଗଲା ସେତେବେଳେ ମନରେ ଅନ୍ୟ କୌଣସି ବିଚାର ନଥିଲା । ଆଗକୁ ଫ୍ରାଞ୍ଚାଇଜ ସହ ଆଉ ୩ ବର୍ଷ ମୋ ପାଇଁ ବହୁତ ଗୁରୁତ୍ୱ ବହନ କରିବ । ଏପରିକି ଆଗକୁ ଶ୍ରେଷ୍ଠ ପ୍ରଦର୍ଶନ ଆସିବା ମଧ୍ୟ ବାକି ଅଛି । ଏପରିକି ଆଗାମୀ ସିଜିନରେ କଣ ହେବ ତାହା ମୋତେ ଜଣାଅଛି ।

ଏହାଛଡା କୋହଲି କହିଛନ୍ତି, ସମସ୍ତ ଖେଳାଳୀଙ୍କ ସହ ଫ୍ରାଞ୍ଚାଇଜର ଭଲ ସର୍ମ୍ପକ ରହିଥିଲା । ପ୍ରଂଶସକଙ୍କୁ ଧନ୍ୟବାଦ ଏଭଳି ଅକୁଣ୍ଟ ସମର୍ଥନ କରୁଥିବାରୁ । ବାଙ୍ଗାଲୋର ସହ ମୋର ମନ ଓ ଆତ୍ମା ସବୁବେଳେ ରହିବ । ଆଗାମୀ ସିଜିନରେ ଏକ ଭିନ୍ନ ରୂପରେ ପଡିଆରେ ଦେଖିବାକୁ ପାଇବେ ବୋଲି କୋହଲି ସଂକେତ ଦେଇଛନ୍ତି । ୨୦୨୧ ଆଇପିଏଲ ଆରମ୍ଭ ହେବା ର୍ପୂବରୁ କୋହଲି ଘୋଷଣା କରିଥିଲେ ଯେ, ୨୦୨୨ ଆଇପିଏଲ ସିଜିନରେ ଦଳର ନେତୃତ୍ୱ ନେବେ ନାହିଁ । ଏହାସତ୍ତେ୍ୱ ମଧ୍ୟ ବିରାଟଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ଭାବେ ରିଟେନ ରଖିଛି ଦଳ । ତେବେ ୟୁଜବେନ୍ଦ୍ର ଚହଲଙ୍କୁ ଦଳ ରିଲିଜ କରିଛି । ରିଟେନ ଖେଳାଳୀଙ୍କ ପାଇଁ ବାଙ୍ଗାଲୋର ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି ।