ଓମିକ୍ରନ୍ ଭାରିଆଣ୍ଟର ଭୟ ଭିତରେ କେମିତି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍ ସିରିଜ୍? ପଢନ୍ତୁ, କଣ କହିଲେ ଅଧିନାୟକ ବିରାଟ କୋହଲି…

229

କନକ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ଭାରିଆଣ୍ଟ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବାବେଳେ, ଏବେ ୨୯ ଦେଶର ୩୭୩ ଜଣଙ୍କୁ ସଂକ୍ରମିତ କରିସାରିଲାଣି । ଏହାରି ଭିତରେ ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ୍ କେମିତି ଖେଳାଯିବ, ଖେଳାଳିମାନେ କେମିତି ସୁରକ୍ଷିତ ରହିବେ ତାକୁ ନେଇ ଏବେ ଅନେକ ଚର୍ଚ୍ଚା ପ୍ରକାଶ ପାଇଛି । ଯାହାକୁ ନେଇ ଏବେ ପ୍ରଥମ କରି ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଗୁରୁବାର କହିଛନ୍ତି, ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ଆଗାମୀ କିଛି ଦିନପରେ ସ୍ପଷ୍ଟ ଚିତ୍ର ମିଳିଯିବ ।  ବିସିସିଆଇ ଏନେଇ କଥାବାର୍ତ୍ତା ଜାରି ରଖିଛି । ଖାଲି ସେତିକି ନୁହେଁ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ମଧ୍ୟ ଏନେଇ ସିନିୟର ଖେଳାଳିଙ୍କ ସହିତ ଆଲୋଚନା କରୁଛନ୍ତି । ଦଳର ଖେଳାଳିଙ୍କ ପାଖରେ ଏବେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ବୋଲି କୋହଲି କହିଛନ୍ତି । ଅନ୍ୟପଟେ କୋହଲି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦଳର ପ୍ରତିଟି ସଦସ୍ୟଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ।

ଆସନ୍ତାମାସ ୧୭ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ହେଲେ ସେଠାରେ ଏବେ ଓମିିକ୍ରନ୍ ଭାରିଆଣ୍ଟ ଆତଙ୍କ ମଚାଇଥିବାବେଳେ, ଏଭଳି ସ୍ଥିତିରେ ଏହି ସିରିଜ୍ ଉପରେ କଳାବାଦଲ ଘୋଟିଆସିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ସିରିଜ୍ ଏକ ସପ୍ତାହ ପାଇଁ ଘୁଞ୍ଚାଇ ମଧ୍ୟ ଦିଆଯାଇପାରେ । ଅନ୍ୟପଟେ, ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଲସନ୍ ନାଇଦୋ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି ଏପରି ସ୍ଥିତିରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆସୁଥିବାରୁ ସେ କୃତଜ୍ଞ । ତାଙ୍କ ଦେଶର ଦର୍ଶକ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ବେଶ୍ ଆଗ୍ରହୀ । ମ୍ୟାଚ୍ ଦେଖିବା ପାଇଁ ୨ ହଜାର ଦର୍ଶକଙ୍କୁ ଅନୁମତି ଦିଆଯିବ । ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକମାନେ ଭ୍ୟାକ୍ସିନ୍ ନେଇଥିବା ଆବଶ୍ୟକ ।

କୋଭିଡ୍ ସ୍ଥିତିରେ ଦର୍ଶକ ଦେଖିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି, ପୂର୍ବ ଭାଇରସ୍ ଅପେକ୍ଷା ଓମିକ୍ରନ୍ ଏତେ ମାରତ୍ମକ ନୁହଁ । ତେଣୁ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇପାରିବ । ଉଭୟ ଦଳ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତ କୋଭିଡ୍ କଟକଣାକୁ ପାଳନ କରାଯିବ ବୋଲି କହିଛନ୍ତି ଲସନ୍ ନାଇଦୋ । ଭାରତୀୟ ଦଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛନ୍ତି ।