କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ କ୍ୟାପଟେନ ପଦ? ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ବିରାଟଙ୍କ ଆଣିପାରେ ବିପଦ !

177

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଲଗାତାର ୨ଟି ପରାଜୟ ଏବେ ବିରାଟଙ୍କ ପାଇଁ ବଡ ବିପଦ ଡାକି ଆଣିଛି । ଭାରତ ଯଦି ସେମିଫାଇନାଲ ଟିକେଟ ହାସଲ କରିବାରେ ବିଫଳ ହେଉଛି ତେବେ କୋହଲିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ବିଶ୍ୱକପ ପରେ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ । କିନ୍ତୁ ଟି-୨୦ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଉପରେ ଖଣ୍ଡା ଝୁଲିବା ଆରମ୍ଭ ହୋଇଛି । ଅଥାର୍ତ ଟି-୨୦ ସହ ଦିନିକିଆ ପଦ ମଧ୍ୟ ହରାଇପାରନ୍ତି କ୍ୟାପଟେନ କୋହଲି । ଖୁବଶୀଘ୍ର ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ମିଟିଂ ହେବାକୁ ଯାଉଛି, ଯେଉଁଠି ଟିମର ଭବିଷ୍ୟତ ବାବଦରେ ଆଲୋଚନା ହୋଇପାରେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଆଗକୁ ଟିମ୍ ଚୟନ କରାଯିବ । ଏଥିପାଇଁ ଆଗକୁ ବୈଠକ ବସିବ, ଆଉ ଏହି ବୈଠକରେ ବିରାଟଙ୍କ ଦିନିକିଆ ଅଧିନାୟକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । କାରଣ ବିସିସିଆଇ ଉଭୟ ଟି-୨୦ ଓ ଦିନିକିଆ ଟିମ୍ ପାଇଁ ଜଣେ ଅଧିନାୟକଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଅଧିକାଂଶ ଟି-୨୦ ମ୍ୟାଚ୍ ଓ ଟେଷ୍ଟ ମ୍ୟାଚ୍ ଖେଳିବ । ୨୦୨୩ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ବେଶି ଦିନିକିଆ ମ୍ୟାଚ୍ ଖେଳିବ ନାହିଁ । ତେଣୁ ଟି-୨୦ ଓ ଦିନିକିଆ ଫର୍ମାଟ ପାଇଁ ଜଣେ ଅଧିନାୟକ ଦାୟିତ୍ୱରେ ରହିବା ଉଚିତ ହେବ ବୋଲି ବିସିସିଆଇ ବିଚାର କରୁଛି ।

ଅଧିନାୟକ ଦାୟିତ୍ୱ ନେବା ପରେ ବିରାଟ ଏଯାଏଁ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇନାହାନ୍ତି । ଏପରିକି ଚଳିତ ଟି-୨୦ ବିଶ୍ୱକପରେ ଦଳର ପ୍ରଦର୍ଶନ ମଧ୍ୟ ସେତେଟା ଉତ୍ସାହଜନକ ନାହିଁ । ତେଣୁ ବିରାଟଙ୍କ ବଦଳରେ ନୂଆ ଅଧିନାୟକଙ୍କୁ ନେଇ ଆଗକୁ ଯିବାକୁ ବିସିସିଆଇ ଚାହୁଁଥିବା ଚର୍ଚ୍ଚା ହେଉଛି । ବିସିସିଆଇ ଏଭଳି ଜଣେ ଖେଳାଳୀଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେବାକୁ ଚାହୁଁଛି ଯିଏ ୨୦୨୩ ବିଶ୍ୱକପରେ ଭାରତକୁ ବିଜୟୀ କରାଇବ ।