କୋର୍ଟ ପହଂଚିଲା ଭାଇରାଲ୍ ଭିଡିଓ ମାମଲା ! ପୁଅ କହିଲେ ଯାଇଛି ସମ୍ମାନ

32

କନକ ବ୍ୟୁରୋ : ରାଜଧାନୀରେ ଭାଇରାଲ୍ ଭିଡିଓରେ ନୂଆ ଟୁଇଷ୍ଟ୍ । ଦୁଇ ଯୁବତୀଙ୍କଠାରୁ ମାଡ଼ ଖାଇଥିବା ଯୁବକ ପହଂଚିଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ । ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ ଯୁବତୀ କିନ୍ତୁ ମନା କରିବାରୁ ସେ ଭିଡିଓ କରି ଭାଇରାଲ୍ କରିଥିବା ଅଭିଯୋଗ କରିଛନ୍ତି ଯୁବକ ଜଣକ । ଏହି ଭିଡିଓ ଦ୍ୱାରା ତାଙ୍କ ସମ୍ମାନହାନୀ ହୋଇଛି ବୋଲି କହିବା ସହ ସଂପୃକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମାଡ଼ ଖାଇଥିବା ଯୁବକଙ୍କ ଅନୁଯାୟୀ, ସେ ପୂର୍ବରୁ ବିବାହିତ । ତଥାପି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ହିଁ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଘଟଣା ଦିନ ଯୁବତୀ ଜଣକ ତାଙ୍କର ଜଣେ ସାଙ୍ଗ ସହ ପହଂଚି ବିବାହ କରିବାକୁ ଜିଦ୍ କରିଥିଲେ । ହେଲେ ଛାଡପତ୍ର ମାମଲା ଫାଇନାଲ୍ ହୋଇନଥିବାରୁ ମନା କରିଥିଲେ ଯୁବକ ଜଣକ । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଏବଂ ତାଙ୍କ ସାଙ୍ଗ ମିଶି ତାଙ୍କୁ ମାଡ଼ ମାରିବା ସହ ଭିଡିଓକୁ ଭାଇରାଲ୍ କରିଥିଲେ । ତେବେ ଘଟଣାର ସତ୍ୟାସତ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ  ।

ଅନ୍ୟପଟେ ଯୁବକଙ୍କ ଓକିଲଙ୍କ କହିବା ଅନୁଯାୟୀ ଭିଡିଓଟି ୪୫ ମିନିଟର । କେବଳ ୩ ମିନିଟର ଭିଡିଓକୁ ଭାଇରାଲ୍ କରାଯାଇଛି । କିନ୍ତୁ ଲୁଚା ଯାଇଥିବା ବାକି ଭିଡିଓରେ ରହିଛି ପ୍ରକୃତ ଘଟଣା ।

ଉଲ୍ଲେଖ୍ୟଯୋଗ୍ୟ, ଗତକାଲି ରାଜଧାନୀରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଏକ ପାର୍କରେ ଦୁଇ ଜଣ ଯୁବତୀ ଜଣେ ଯୁବକଙ୍କୁ ମାଡ଼ ମାରୁଛନ୍ତି । କାରଣ ଥିଲା ଉଭୟ ଯୁବତୀଙ୍କ ସହ ସଂପୃକ୍ତ ଯୁବକଙ୍କର ପ୍ରେମ ସଂପର୍କ ଥିଲା । ଆଉ ପାର୍କରେ ଜଣକ ସହ ବୁଲୁଥିବା ସମୟରେ ଅନ୍ୟ ଜଣେ ପ୍ରେମିକା ସେଠାରେ ପହଂଚିଯାଇଥିଲେ । ଆଉ ମାଡ଼ ମାରିବା ଆରମ୍ଭ କରିଥିଲେ ।