ଆଫଗାନିସ୍ତାନରୁ ଆସିଛି ବିକଳ ଚିତ୍ର । ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଲୋକଙ୍କୁ ପିଲାକୁ ଟେକି ଦେଉଛନ୍ତି ବାପା, ମା’ ।

236

କନକ ବ୍ୟୁରୋ: ଆଫଗାନିସ୍ତାନରେ ଲୋକମାନେ କିଭଳି ଭୟଭୀତ ଅଛନ୍ତି , ଏବେ ସେସବୁର ଗୋଟିଏ ପରେ ଗୋଟିଏ ଭିଡିଓ ସାମନାକୁ ଆସିବାରେ ଲାଗିଛି । ଦେଶରେ ଜୀବନ ଅସୁରକ୍ଷିତ ଥିବାରୁ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି । ବିମାନବନ୍ଦର ପାଚେରୀ ଆରପଟେ ଉଡାଣ ଅପେକ୍ଷାରେ ରହିଛି ବିମାନ ଆଉ ଏପଟେ ପିଲା ଛୁଆଁଙ୍କୁ ଧରି ଭିଡ ଜମାଇଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ । ହେଲେ ବିମାନବନ୍ଦରକୁ ଲୋକମାନେ ଯାଇପାରୁ ନାହାଁନ୍ତି, ଅନ୍ୟପଟେ ସେଠାରେ ଗୁଳି ଫୁଟୁଛି । ଏହି ସମୟରେ ନିଜ ପିଲାକୁ ଅଜଣା ଲୋକ ହାତକୁ ଟେକି ଦେଉଛନ୍ତି ବାପା ମା ।

ତାଲିବାନୀମାନେ କାବୁଲକୁ କବଜା କରିନେବା ପରେ ମୃତ୍ୟୁ ସୁନିଶ୍ଚିତ ଭାବି ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଠାରୁ ନିଜ ପିଲାକୁ ଦୂରେଇ ଦେବାକୁ ବାଧ୍ୟ ହେଉଛନ୍ତି ବାପା ମା । କାବୁଲ ବିମାନବନ୍ଦରର ପାଚେରୀ ଏପଟେ ଥିବା ଜଣେ ବ୍ୟକ୍ତି ତା ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି କେହି ବିମାନ ବନ୍ଦରରୁ ଶିଶୁଟିକୁ ନେଇଯିବ ଆଉ ପିଲାଟି ବିମାନରେ ଅନ୍ୟ କେଉଁ ଦେଶକୁ ଚାଲିଯିବ, ହୁଏତ ତା ଜୀବନ ବଞ୍ଚିଯିବ ବୋଲି ଭାବି ନେଇଛନ୍ତି ଲୋକମାନେ ।

ତେବେ ବାପା ମା ପିଲାଙ୍କୁ ଅନ୍ୟ ହାତକୁ ଟେକି ଦେଉଥିବାବେଳେ, ସେମାନେ କେଉଁଠି ରହିବେ? କାହା ପାଖରେ ରହିବେ ଜଣା ନାହିଁ? କିନ୍ତୁ ପିଲାଟି ବଞ୍ଚିିଯିିିିବ ବୋଲି ଧରି ନେଇଛନ୍ତି । ଲୋକଙ୍କ ଏହି ବ୍ୟାକୁଳତା ଦେଖି ବିମାନବନ୍ଦରର ତାର ବାଡ ପାର କରି ପିଲାଙ୍କୁ ଏୟାରପୋର୍ଟ ଭିତରକୁ ନିଆଯାଉଛି । ବିମାନ ବନ୍ଦରରେ ଥିବା ସୁରକ୍ଷାକର୍ମୀ ପିଲାଙ୍କୁ ଭିତରକୁ ନେଇଯାଉଛନ୍ତି । ଏୟାରପୋର୍ଟରେ ଥିବା ବ୍ରଟେନ୍ ଓ ଆମେରିକା ସୈନ୍ୟମାନେ ପିଲାମାନଙ୍କୁ ବିମାନ ବନ୍ଦର ପାଚେରୀ ପାର କରାଉଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ୍ ପ୍ରତିରକ୍ଷା ସଚିବ ବେନ୍ ୱାଲେସ । ସେ କହିଛନ୍ତି ଆଫଗାନସ୍ତାନରୁ ପିଲାଙ୍କୁ ଉଦ୍ଧାର କରିବାରେ ବ୍ରିଟେନ୍ ଅସମର୍ଥ ।

  • ବର୍ବରତାର ସୀମା ଟପି ଯାଇଛନ୍ତି ତାଲିବାନୀ
  • ଆଖି ବୁଜା କରୁଛନ୍ତି ଗୁଳି ମାଡ

ତାଲିବାନୀ ମାନେ ଯେତେବେଳେ ବଦଳୁଛନ୍ତି ବୋଲି ସଫେଇ ଦେଉଛନ୍ତି, ଠିକ୍ ସେତିକିବେଳେ ସେମାନଙ୍କ ବର୍ବରତାର ଦୃଶ୍ୟ ସାମନାକୁ ଆସୁଛି । ଯାହାକି ଆପଣଙ୍କୁ ବିଚଳିତ କରିବ । ଦେଶରେ ଅସୁରକ୍ଷିତ ଭାବି ଦେଶ ବାହାରକୁ ଚାଲିଯିବା ପାଇଁ ଘରୁ ବାହାରିଥିବା ଲୋକଙ୍କ ଉପରକୁ ଆଖି ବୁଜା ଗୁଳି ମାଡ କରୁଛନ୍ତି ତାଲିବାନୀ ଆତଙ୍କବାଦୀ । ଗୁଳି ଶବ୍ଦରେ ଫାଟି ପଡୁଛି ସମ୍ପୂର୍ଣ୍ଣ ଅଞ୍ଚଳ । ତେବେ ଏହି ଘଟଣା ଗତ ୧୬ ତାରିଖର ବୋଲି କୁହାଯାଉଛି । ତାଲିବାନ କାବୁଲ କବଜା କରିବା ପରେ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ଏୟାରପୋର୍ଟରେ ଏକାଠି ହୋଇଥିଲେ ଲୋକେ । ପିଲା ଛୁଆଙ୍କୁ ଧରି ବିମାନ ବନ୍ଦରରେ ପହଞ୍ଚିଥିଲେ ଆଉ ଭିଡ ନିୟନ୍ତ୍ରଣ କରିବା ପାଇଁ ଆଖିବୁଜା ଗୁଳି ଚାଳନା କରିଥିଲେ ତାଲିବାନୀ ।

ନିଜ ଜୀବନ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଲୋକେ । ଯିଏ ଯେଉଁଠି ପାରୁଛି ଲୁଚି ଯାଉଛି । ଭିଡିଓରେ କିଛି ମହିଳାଙ୍କ ଚିତ୍କାର ମଧ୍ୟ ଶୁଭୁଛି । ଛୋଟ ପିଲାଙ୍କ କାନ୍ଦ ଶୁଭୁଛି । ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ଛାତିରେ ଜାବୁଡି ଧରିଛି ମାଆ । ଅଗଷ୍ଟ ୧୬ ତାରିଖ ଦିନ ବିମାନରେ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନ ବନ୍ଦର ଭିତରେ ଯେତିକି, ବାହାରେ ତାଠାରୁ ଅଧିକ ଲୋକ ଏକାଠି ହୋଇଥିଲେ । ଯାହାକି ତାଲିବାନୀଙ୍କୁ ନେଇ ସାଧାରଣ ଲୋକଙ୍କ ଭିତରେ କେତେ ଭୟ ରହିଛି ତାହା ଦର୍ଶାଇଥିଲା ।