ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଜେଲରୁ ମୁକ୍ତ ହେଲେ ଅନେକ ତାଲିବାନୀ ଆତଙ୍କବାଦୀ । ସେପଟେ ତାଲିବାନୀଙ୍କ ଖୁସି ମନାଉଥିବା ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ।

279

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ମୁକ୍ତ ହୋଇଯାଇଛନ୍ତି ଆଇଏସଆଇଏସ ଓ ଅଲ-କାଏଦା ପରି ଆତଙ୍କୀ ସଂଗଠନର ଆତଙ୍କବାଦୀ । ବିଭିନ୍ନ ପ୍ରାନ୍ତରେ ଥିବା ଜେଲରୁ କଏଦୀଙ୍କୁ ମୁକ୍ତ କରିଦେଇଛି ତାଲିବାନ । ଅପରପକ୍ଷରେ ତାଲିବାନୀ ଆତଙ୍କବାଦୀଙ୍କ ପାଇଁ ଗୋଟିଏ ପଟେ ସ୍ଥାନୀୟ ଲୋକେ ଭୟରେ ଥିବା ବେଳେ ଅନ୍ୟପଟେ ଖୁସି ମନାଉଛନ୍ତି ତାଲିବାନୀ ଆତଙ୍କବାଦୀ । ଏହାରି ଭିତରେ ଛାତି ଥରାଇ ଦେବା ଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ, ଏକ ପ୍ଲାଷ୍ଟିକ କ୍ରେଟରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ଦଖଲ ପରେ ମାତିଛନ୍ତି ତାଲିବାନୀ ଆତଙ୍କବାଦୀ । ଯେଉଁଠି ଆଇଏସଆଇଏସ ଓ ଅଲ-କାଏଦା ପରି ଆତଙ୍କୀ ସଂଗଠନର ଆତଙ୍କବାଦୀ ରହୁଥିଲେ ସେଠି ଏବେ ତାଲିବାନ ରାଜରେ ସବୁ ଆତଙ୍କୀ ଓ ଅପରାଧୀଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଛି । ଏପରିକି ତାଲିବାନର କବଜା ପରେ ଜେଲରେ ସଜା କାଟୁଥିବା ଅନେକ ତାଲିବାନୀ ଆତଙ୍କବାଦୀ ମଧ୍ୟ ଏବେ ମୁକ୍ତ । କାବୁଲ କବଜା ପରେ ପୁଲ-ଏ-ଚରଖି ପ୍ରିିଜନରୁ ମୁକ୍ତ ହୋଇଯାଇଛନ୍ତିି ଆତଙ୍କବାଦୀ । କେବଳ ଏତିକି ନୁହେଁ ବିଭିନ୍ନ ପ୍ରାନ୍ତରେ ଥିବା ହଜାର ହଜାର ଅପରାଧୀଙ୍କୁ ମୁକ୍ତ କରିଦେଇଛି ତାଲିବାନ ।

ଆଫଗାନିସ୍ତାନର ଏହି ସଙ୍କଟ ଭିତରେ ଆଉ ଏକ ଛାତିଥରା ଫଟୋ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଇଛି ଏକ ଫଟୋ ଯେଉଁଥିରେ ଏକ ପ୍ଲାଷ୍ଟିକର କ୍ରେଟରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ମିଳିଛି । କାବୁଲ ବିମାନ ବନ୍ଦରର ଏହି ଦୃଶ୍ୟ ବିଚଳିତ କରିପକାଇଛି । ୭ମାସର ଶିଶୁ କନ୍ୟାଟି ନିଜ ବାପା ମା ଠାରୁ ଅଲଗା ହୋଇଯାଇଛି । ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗୋଟିଏ ପଟେ ଆଫଗାନବାସୀ ଭୟ ଓ ଆତଙ୍କରେ ଦେଶ ଛାଡି ଚାଲିଯିବାକୁ ବ୍ୟତିବ୍ୟସ୍ତ ହୋଇପଡୁଥିବା ବେଳେ ତାଲିବାନୀ ମାନେ ଖୁସିମନାଉଛନ୍ତି । ଆଫଗାନିସ୍ତାନରେ ବିଜୟ ପରେ ତାଲିବାନୀ ଆତଙ୍କବାଦୀ ନାଚିବା ସହ ଦୋଳି ଖେଳିବାର ଚିତ୍ର ସାମ୍ନାକୁ ଆସିଛି ।

ଆଫଗାନିସ୍ତାନର କାବୁଲରେ ଥିବା ଏମ୍ୟୁଜମେଣ୍ଟ ପାର୍କରେ ଛୋଟ ପିଲାଙ୍କ ପାଇଁ ଥିବା ଖେଳନା ଗାଡ଼ି ଚଳାଇ ତାଲିବାନୀ ଆତଙ୍କବାଦୀ ମଜା କରୁଛନ୍ତି । ଏହାସହ ଜିମରେ ଏକ୍ସରସାଇଜ ମଧ୍ୟ କରୁଛନ୍ତି ତାଲିବାନୀ । ତାଲିବାନ ମାନେ ଅଫଗାନିସ୍ତାନକୁ କବଜା କରିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଲୋକେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ନିଜ ଦେଶକୁ ଫେରୁଥିବା ବେଳେ ତାଲିବାନୀ ଖୁସି ମନାଇଛନ୍ତି ।