କନକ ବ୍ୟୁରୋ: ହରିଆଣାର ସୁନାଝିଅ ଦିବ୍ୟା ତନୱର । ୨୦୨୩ ୟୁପିଏସସି ପରୀକ୍ଷାରେ ୧୦୫ ତମ ସ୍ଥାନ ପାଇ ବନିଛନ୍ତି ଆଇଏଏସ୍ ଅଧିକାରୀ । ହେଲେ ତାଙ୍କ ସଫଳତା ପଛର କଷ୍ଟ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

Advertisment

ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି, ମଣିଷ ଯେଉଁ ସ୍ଥାନରେ ଥାଉ ନା କାହିଁକି ଯଦି ଲକ୍ଷ୍ୟ ସ୍ଥିର, ଇଚ୍ଛାଶକ୍ତି ଦୃଢ ଏବଂ କଠିନ ପରିଶ୍ରମ ଜାରି ରହେ ତେବେ ଭାଗ୍ୟ ବିଦଳିଯିବାକୁ ବାଧ୍ୟ ହୁଏ । ଈଶ୍ୱରଙ୍କ ବରଦହସ୍ତରୁ ଝରିଆସେ ଅସୁମାରୀ ଆଶିଷ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି ଆଇଏଏସ୍ ଦିବ୍ୟା ତନୱର । ଯିଏ ମା’କୁ ଆଖି ଆଗରେ ରଖି ଜୀବନର ଲକ୍ଷ୍ୟସ୍ଥଳ ଧାର୍ଯ୍ୟ କରିଥିଲେ । ଆଉ ଅତି ଯନ୍ତ୍ରଣା ଭିତରେ ପିଲାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଥିବା ମା’ର ସବୁ ଦୁଃଖକୁ ଦୂରେଇପାରିଥିଲେ ।

ଦିବ୍ୟାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିବାବେଳେ ହୃଦଘାତରେ ଆରପାରିକୁ ଚାଲିଗଲେ ବାପା । ୩ ଛୋଟ ପିଲାଙ୍କୁ ଧରି ଅସହାୟ ହୋଇପଡିଲେ ମା’ । ହେଲେ ହାର ମାନିନଥିଲେ । ମୁଣ୍ଡ ଗୁଞ୍ଜିବାକୁ ଅନ୍ୟ ଜଣଙ୍କ ଘର ଉପରେ ଥିବା ବଖୁରିଏ ଘରେ ରହୁଥିଲେ ୪ ପ୍ରାଣୀ । ସେଥିରେ ରହିବା , ପିଲାଙ୍କ ପାଠପଢିବା, ରୋଷେଇ ସବୁ ଚାଲିଥାଏ । ବାପାଙ୍କ ଚାଲିଯିବା ପରେ ଘରେ କାଣି କଉଡିଟିଏ ନଥାଏ । ୩ ପିଲାଙ୍କ ପେଟକୁ ଦାନା ଦେବାକୁ ପରଘରେ କାମ କଲେ । ପରିସ୍ଥିତି ଏଭଳି ଥିଲା ଯେ, ମାତ୍ର ୧୦ ଟଙ୍କା ପାଇଁ ଅନ୍ୟ ଘରେ ଦିନ ସାରା ଖଟୁଥିଲେ ମା’ । ଆଜି ସେକଥା କହିବା ବେଳକୁ ତାଙ୍କ ଆଖିରୁ ଲୁହ ଝରିଆସେ ।

ଦିବ୍ୟାଙ୍କ ଆଇଏଏସ୍ ଲକ୍ଷ୍ୟ ଧାର୍ଯ୍ୟ କରିବା କାହାଣୀ ବି ଭାରୀ ମଜାଦାର । ଗାଁ ସ୍କୁଲରେ ପଞ୍ଚମ ଯାଏଁ ପଢିଲେ । ଏହି ସମୟରେ ସ୍କୁଲର ଆନୁଆଲ ଫଙ୍କସନକୁ ଆସିଥିଲେ ଏସଡିଏମ୍ ସାର୍ । ତାଙ୍କୁ ସମସ୍ତେ ଦେଉଥିବା ଅଜସ୍ର ସମ୍ମାନକୁ ଦେଖି ସେ ମଧ୍ୟ ଏଭଳି ମେମସାହେବାଣୀ ହେବେ ଆଉ ତାଙ୍କ ମା’ଙ୍କୁ ଏ କଷ୍ଟରୁ ପାରି କରିବେ ବୋଲି ଭାବିଲେ । ଏହାପରେ ନବୋଦୟ ସ୍କୁଲରେ ସିଲେକ୍ସନ ହେଲା ସେଠାକୁ ଚାଲିଯାଇ ଦ୍ୱାଦଶ ଶେଷ କଲେ । ପରେ ସରକାରୀ ଗ୍ରାଜୁଏଟ୍ କଲେଜରେ ଗ୍ରାଜୁଏସନ୍ ଶେଷ କଲେ । ତାଙ୍କ ମନରେ ଥିବା ମେମସାହେବ ହେବାର ସ୍ୱପ୍ନକୁ ପୂରଣ କରିବାକୁ ଆଗେଇଲେ । ହେଲେ ୟୁପିଏସସି ହେବାକୁ ତାଙ୍କ ପାଖରେ କିଛି ବି ସାଧନ ନଥିଲା । ନା କୋଚିଙ୍ଗ ପାଇଁ ପଇସା, ନା ବାହାରେ ରହି ପଢିବାର ସୁଯୋଗ । ଘରକୁ ଫେରି ସେହିଠାରେ ହିଁ ଗୋଟିଏ ସେକେଣ୍ଡେ ହ୍ୟାଣ୍ଡ ଫୋନରୁ ଆଇଏଏସ୍ ଙ୍କ ସକସେସ୍ ଷ୍ଟୋରୀ ଦେଖିବାକୁ ଆରମ୍ଭ କଲେ । ଏବଂ ପାଖ ସହରରେ ଥିବା ଲାଇବ୍ରେରୀକୁ ଯାଇ ପଢିବାକୁ ଆରମ୍ଭ କଲେ ।

ହେଲେ ଏତିକିରେ ପ୍ରସ୍ତୁତି ସମ୍ଭବନଥିଲା । ତେଣୁ ଆବଶ୍ୟକ ବହି କିଣିବାକୁ ସେ ପାଖ ସ୍କୁଲରେ ପାର୍ଟଟାଇମ୍ ପଢାଇବାକୁ ଆରମ୍ଭ କରିବା ସହ ପିଲାଙ୍କୁ ଟ୍ୟୁସନ୍ କଲେ । ସେଥିରୁ ମିଳିବା ଟଙ୍କାରୁ ଷ୍ଟଡି ମାଟେରିଆଲ କିଣି ପଢିଲେ । ବଖୁରିଏ ଘରେ ଗୋଟିଏ କୋଣରେ ବସି ଦିନକୁ ୮ଘଣ୍ଟାରୁ ଅଧିକ ପରିଶମ କରୁଥିଲେ । ଝିଅର ପଢାରେ ଯେପରି ସମସ୍ୟା ନହୁଏ ସେଥିପାଇଁ ମା’ ଓ ସାନ ଭାଇ ଭଉଣୀ ଭାରୀ ସଜାଗ ଥିଲେ ।

ମାତ୍ର ୨୨ ବର୍ଷରେ ୟୁପିଏସସି ପରୀକ୍ଷାରେ ବସିଲେ ଦିବ୍ୟା । ପ୍ରଥମ ଚେଷ୍ଟାରେ ହିଁ ସଫଳ ହେଲେ । ୪୩୮ ସ୍ଥାନ ପାଇ ଆଇପିଏସ୍ ଭାବେ ଯୋଗ ଦେଲେ । ଏଥିରେ ତାଙ୍କର ମନ ମାନନଥିଲା । ପୁଣି ୟୁପିଏସସି ପରୀକ୍ଷା ଦେଇ ୧୦୫ ତମ ସ୍ଥାନ ଅଧିକାର କଲେ ଏବଂ ୨୩ ବର୍ଷ ବୟସରେ ବନିଲେ ଆଇଏଏସ୍ ।

ଏବେ ଦିବ୍ୟା ତନୱାର ମହେନ୍ଦ୍ରଗଡର ‘ଭାଇରାଲ ଗାର୍ଲ’ ଭାବେ ଜଣାଶୁଣା । ଜଣେ ଝିଅ କିପରି ମା’ର ଦୁଃଖର ମୂଲ ଦେଇପାରେ ତାକୁ ଶତପ୍ରତିଶତ ପ୍ରମାଣ କରିଛନ୍ତି ଦିବ୍ୟା ।କେବଳ ହରିୟାଣା ପାଇଁ ବରଂ ସମଗ୍ର ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ।