ଅଗ୍ନିପଥ ଯୋଜନାକୁ ବଢୁଛି ବିରୋଧ : ବିହାର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ; ଟ୍ରେନ ଜାଳିଲେ ଛାତ୍ରଛାତ୍ରୀ, ୨୨ ଟ୍ରେନ୍ ବାତିଲ

188

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ନେଇ ବଢୁଛି ହିଂସା । ବିଭିନ୍ନ ରାଜ୍ୟରେ ବିରୋଧ ଓ ଆନ୍ଦୋଳନ ତେଜିବାରେ ଲାଗିଛି । ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ଭଭୁଆ ରୋଡ୍ ରେଳ ଷ୍ଟେସନରେ ଇଣ୍ଟରସିଟି ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଛନ୍ତି । ବିହାରର ୮ ଜିଲ୍ଲାରେ ଆନ୍ଦୋଳନ ହିଂସାର ରୂପ ନେଇଛି । ଏବେ ଏହି ହିଂସା ବଢ଼ୁଥିବା ଦେଖି ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ଟି ଟ୍ରେନ୍ ବାତିଲ ହୋଇଛି ଏବଂ ୨୯ଟି ଟ୍ରେନ୍ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ୫ଟି ଟ୍ରେନର ସମୟ ବଦଳାଇ ଦିଆଯାଇଛି । ରେଳ ଧାରଣା ଉପରେ ଆସବାପତ୍ର ପକାଇ ପ୍ରତିବାଦକାରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା । ସରକାର କହିଛନ୍ତି, ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେମାନଙ୍କୁ ଆର୍ଥିକ ପ୍ୟାକେଜ ଓ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ । ଏହାଦ୍ୱାରା ସେମାନେ ନୂଆ ଉଦ୍ୟୋଗ ଆରମ୍ଭ କରିପାରିବେ । ସେହିପରି ସେମାନଙ୍କୁ କେନ୍ଦ୍ରୀୟ ଆର୍ମଡ ଫୋର୍ସ ଓ ରାଜ୍ୟ ପୁଲିସ୍ ବିଭାଗରେ ଗୁରୁତ୍ୱ ଦିଆଯିବ । ଏହାବାଦ ବିଭିନ୍ନ କ୍ଷେତ୍ରରେ ଅଗ୍ନିବୀରଙ୍କୁ ଚାକିରି ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର ସଫେଇ ରଖିିଛନ୍ତି । ଏହି ଯୋଜନାକୁ ନେଇ କିଛି ପୂର୍ବତନ ସେନା ଅଧିକାରୀମାନେ ଆଶଙ୍କା କରିଥିଲେ ଯେ ରେଜିମେଣ୍ଟ ବାଇଡିଂ ପ୍ରଭାବିତ ହେବ । ହେଲେ ଏପରି ଆଶଙ୍କାକୁ ଖାରଜ କରିଛନ୍ତି ସରକାର ।

ରେଜିମେଣ୍ଟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନି । ନୂଆ ଯୋଜନା ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ । ଅଗ୍ନିବୀରଙ୍କ ପାଇଁ ସେନା ଆହୁରି ଶକ୍ତିଶାଳୀ ହେବ ବୋଲି ସରକାର କହିଛନ୍ତି । ଅଗ୍ନିପଥ ଯୋଜନା ସେନା ବାହିନୀର ପ୍ରଭାବକୁ ପ୍ରଭାବିତ କରିବ ବୋଲି ଯେଉଁ ଅଭିଯୋଗ ଆସିଛି ତାହାର କୌଣସି ଆଧାର ନାହିଁ ବୋଲି ସରକାର କହିଛନ୍ତି । ସାରା ଦୁନିଆରେ ଯୁବଗୋଷ୍ଠୀଙ୍କ ଉପରେ ସେନା ନିର୍ଭର କରୁଛି । ତେଣୁ ୨୧ ବର୍ଷ ବୟସର ଯୁବଗୋଷ୍ଠୀ ସେନାରେ କାମ କରିପାରିବା ଉପରେ ଯେଉଁ ପ୍ରଶ୍ନ ଉଠୁଛି ତାହାର ଆଧାର ନାହିଁ ବୋଲି ସରକାର କହିଛନ୍ତି ।

ସେହିପରି ଏହି ଯୁବ ଗୋଷ୍ଠୀ ଅବସର ନେବା ପରେ ଆର୍ଥିକ ଲାଭ ପାଇଁ ଆତଙ୍କବାଦୀଙ୍କ ସହ ହାତ ମେଳାଇପାରନ୍ତି ବୋଲି ସରକାର କହିଛନ୍ତି । ଏପରି ହେଲେ ଏହା ଭାରତୀୟ ସେନାର ମୂଳ ନୀତି ଓ ଆଦର୍ଶର ଅପମାନ ବୋଲି ସରକାର କହିଛନ୍ତି । ଉଦାହରଣ ଦେବାକୁ ଯାଇ ସରକାର କହିଛନ୍ତି, ଅନେକ ଅବସରପ୍ରାପ୍ତ ସେନା ଅଧିକାରୀମାନେ ସବୁଥିରେ ପାରଙ୍ଗମ । ହେଲେ ସେମାନେ କେବେ ହେଲେ ଦେଶ ବିରୋଧୀ ସଂଗଠନରେ ସାମିଲ ହେଉଥିବାର ନଜିର ନାହିଁ ।