ବର୍ଷା ଯୋଗୁଁ ରାସ୍ତା କାମ ଅଧା ଛାଡି ଚାଲିଗଲା ଠିକାଦାର: ଗାଁ ଲୋକଙ୍କ ଅଭିନବ ପ୍ରତିବାଦ, ରାଉରକେଲାରେ ରାସ୍ତା ଉପରେ ଧାନ ତଳି ରୋଇଲେ ଲୋକେ

218

କନକ ବ୍ୟୁରୋ: ରାସ୍ତା ସମସ୍ୟା ଦୂର କରିବାକୁ ଅଧିକାରୀଙ୍କୁ ବାରମ୍ୱାର ଅନୁରୋଧ ପରେ ବି ଶୁଣିଲାନି ପ୍ରଶାସନ । ଶେଷରେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଗାଁ ଲୋକେ । ପ୍ରତିବାଦରେ ରାସ୍ତାରେ ଲଗାଇଛନ୍ତି ଧାନ ତଳି । ବର୍ଷା ଦିନେ କାଦୁଅ ପଚ ପଚ ରାସ୍ତାରେ ଲଗାଇଛନ୍ତି ଧାନତଳି । ଏପରି ଏକ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକର ପୁଟୁରିଖମନ ପଂଚାୟତରେ ।

ରାଣା ବସ୍ତି ଦେଇ ଯାଇଥିବା ରାସ୍ତାକୁ କଂକ୍ରିଟ୍ କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଛି । ସରପଂଚ ଓ ବିଡିଓଙ୍କୁ ବାରମ୍ୱାର ଗ୍ରାମବାସୀ ଭେଟିବା ପରେ ରଥଯାତ୍ରା ଆଗରୁ ରାସ୍ତା ସମସ୍ୟା ଦୂର ପାଇଁ ମିଳିଥିଲା ପ୍ରତିଶ୍ରୁତି । ହେଲେ ଏହା ପାଳନ ହେଲାନି । ବରଂ ଠିକାଦାର ରାସ୍ତାରେ ମାଟି ଓ ମୋରମ୍ ବିଛାଇ ଦେଲା । ବର୍ଷା ହେବା ପରେ କାମ ଛାଡି ଚାଲିଗଲା । ଏବେ ରାଣା ବସ୍ତି ରାସ୍ତାରେ ଆଉ ଯା ଆସ କରିବା କଷ୍ଟକର ହୋଇଯାଇଛି ।

ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଆରା ଢଙ୍ଗରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ସେପଟେ ସମସ୍ୟା ନେଇ କୁଆଁରମୁଣ୍ଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ବିଡିଓ ସମସ୍ୟା କଥା ସ୍ୱୀକାର କରିବା ସହ ତୁରନ୍ତ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ରଖିଛନ୍ତି ।