ତାମିଲ୍ ଫିଲ୍ମ ‘ମର୍ସଲ’କୁ ନେଇ ରାଜନୀତି ! ଅଡୁଆରେ ପଡିଲେ ଅଭିନେତା ବିଜୟ

39

କନକ ବ୍ୟୁରୋ : ସିଙ୍ଗାପୁରରେ ୭ ପ୍ରତିଶତ ଜିଏସଟି ଦେଇ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି, ମାତ୍ର ଭାରତରେ ୨୮ ପ୍ରତିଶତ ଜିଏସଟି ଦେଇ ମଧ୍ୟ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଉ ନାହାଁନ୍ତି । ଭାରତ ସରକାରଙ୍କ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସକୁ ନେଇ ଏମିତି ଟିପ୍ପଣୀ ଶୁଣିବାକୁ ମିଳିଥିଲା ନିକଟରେ ରିଲିଜ୍ ହୋଇଥିବା ତାମିଲ୍ ସିନେମା ମର୍ସଲରେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ନେତା ଏବଂ ମର୍ସଲ୍ ଟିମ୍ । ଗତ କିଛି ଦିନ ହେବ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ବିବାଦ ।

ତାମିଲ୍ ସିନେମା ‘ମର୍ସଲ’କୁ ନେଇ ସାରା ଦେଶରେ ହଙ୍ଗାମା । ଯାହା ଗତ କିଛି ଦିନ ହେବା ଚର୍ଚ୍ଚାରେ ରହିଛି । ଏହି ସିନେମାର ଏକ ଦୃଶ୍ୟରେ ଜିଏସଟି ବିରୋଧରେ ଦମଦାର୍ ଡାଏଲଗ୍ ସ୍ଥାନ ପାଇଛି । ଫିଲ୍ମରେ ଏହି ଡାଏଲଗ୍ କହିବା ପାଇଁ ବିବାଦର ସମ୍ମୁଖୀନ ହୋଇଛନ୍ତି ତାମିଲ୍ ସୁପରଷ୍ଟାର ବିଜୟ । କେବଳ ସେତିକି ନୁହେଁ ଏହି ସିନେମାରେ ଡିଜିଟାଲ୍ ଇଣ୍ଡିଆକୁ ମଧ୍ୟ ସମାଲୋଚନା କରାଯାଇଛି । ଯାହାକୁ ନେଇ ବିଜେପି କର୍ମୀ, ଏହି ସିନେମାକୁ କଡ୍ଡା ବିରୋଧ କରିଛନ୍ତି । ଏହା ସହ ଫିଲ୍ମରେ ସ୍ଥାନ ପାଇଥିବା ଜିଏସଟି ଏବଂ ଡିଜିଟାଲ୍ ଇଣ୍ଡିଆ ସମ୍ପର୍କିତ ଡାଏଲଗକୁ କାଟିବାକୁ ମଧ୍ୟ ଦାବି କରିଛନ୍ତି ତାମିଲନାଡୁର ବିଜେପି ରାଷ୍ଟ୍ରୀୟ ସଚିବ ଏଚ୍ ରାଜ।।

୧୮ ଅକ୍ଟୋବର ମୁକ୍ତିଲାଭ କରିଛି ତାମିଲ୍ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଫିଲ୍ମ ମର୍ସଲ୍ । ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବାକୁ ଆଧାରିତ କରି ଏହି ସିନେମା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଅଭିନେତା ବିଜୟ ଜଣେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି । ତେବେ ସିନେମାରେ ଏକ ଡାଏଲଗରେ ସେ ଭାରତର ଜିଏସଟି ବା ଗୁଡ୍ ସର୍ଭିସ୍ ଟାକ୍ସକୁ ସିଙ୍ଗାପୁରର ଜିଏସଟି ସହ ତୁଳନା କରିଛନ୍ତି । ଏହା ସହ ଧାର୍ମିକ କାର୍ଡ ଖେଳିଛନ୍ତି ବିଜେପି ନେତା । ଏଚ୍ ରାଜା ଅଭିଯୋଗ କରିଛନ୍ତି ଅଭିନେତା ବିଜୟ ଖ୍ରୀଷ୍ଟିଆନ୍ ହୋଇଥିବାରୁ ବିଜେପି ସରକାର ବିରୋଧରେ ଏଭଳି ଡାଏଲଗ୍ କହିଛନ୍ତିା ଏହାକୁ ନେଇ ସୋମବାର ହାଇକୋର୍ଟରେ ଏକ ପିଟିସନ୍ ମଧ୍ୟ ଦାଖଲ କରାଯାଇଛି ।

ନେତା ବନାମ ଅଭିନେତା । ଜିଏସଟିକୁ ନକରାତ୍ମକ ଭାବେ ସିନେମାରେ ଦର୍ଶାଯାଇଥିବା ବିଜେପି ଅଭିଯୋଗ କରିଥିବାବେଳେ, ଅଭିନେତା – ଅଭିନେତ୍ରୀମାନେ କହୁଛନ୍ତି ଏ ଦେଶରେ କଣ ମନ୍ତବ୍ୟ ଦେବାର ସ୍ୱାଧିନତା ନାହିଁ । ଦେଶରେ ଏବେ ଧିରେ ଧିରେ ଏକ ବଡ ପ୍ରସଙ୍ଗ ହେବାରେ ଲାଗିଛି ଏହି ମର୍ସଲ ବିବାଦ । ଯାହାକୁ ନେଇ ବିଜେପି ନେତାଙ୍କୁ ନିନ୍ଦା କରାଯାଉଛି । ଜିଏସଟିକୁ ନେଇ ସିନେମାରେ ଡାଏଲଗ୍ ସ୍ଥାନ ପାଇବା ପରେ ଫିଲ୍ମ ମର୍ସଲ୍ ଏବଂ ଅଭିନେତା ବିଜୟଙ୍କୁ କଡା ସମାଲୋଚନା କରିଛନ୍ତି ବିପେଜି ନେତା । ଏହାସହ ସିନେମାରେ ଉଦ୍ଦିଷ୍ଟ ଜିଏସଟି ଏବଂ ଡିଜିଟାଲ୍ ଇଣ୍ଡିଆ ବିରୋଧି ଡାଏଲଗକୁ ସିନେମାରୁ କାଟିବା ପାଇଁ ପାଇଁ ଦାବି କଲେ । ହେଲେ ଏହି ବିବାଦ ଭିତରେ ଅଭିନେତା ବିଜୟ ଏବଂ ମର୍ସଲର ଟିମକୁ ସହଯୋଗ କଲେ ଫିଲ୍ମ ଫାର୍ଟନିଟିର ଅନ୍ୟ କଳାକାର ମାନେ ।

ଟ୍ୱିଟର୍ ଜରିଆରେ ଦକ୍ଷିଣ ଭାରତର ବହୁ ନାମୀଦାମୀ କଳାକାର ବିଜେପି ବିରୋଧରେ ମନ୍ତବ୍ୟ ରଖିଛନ୍ତି । – ଅଭିନେତା ବିଜୟ ସେଥୁପତି ଟ୍ୱିଟର୍ ଜରିଆରେ କହିଛନ୍ତି, ଯଦି ଭାରତରେ କଥା କହିବାର ସ୍ୱାଧିନତା ନାହିଁ ,ତାହାଲେ ଏହା ଏକ ଗଣତନ୍ତ୍ର ରାଷ୍ଟ୍ର ନୁହେଁ । ସମୟ ଆସିଛି ନିଜ ସ୍ୱର ଉଠାଇବା ପାଇଁ  – ଖୁସୁବ୍ ନିଜ ଟ୍ୱିଟର୍ ପେଜରେ  ଲେଖିଛନ୍ତି, ଏଭଳି ଅଭିଯୋଗ ବିଜେପିର ମାନସିକତାକୁ ଦର୍ଶାଉଛି – ଅଭିନେତା କମଲ ହାସନ ଟ୍ୱିଟ୍ କରି କହିଛନ୍ତି ମର୍ସଲକୁ ସେନସର୍ ବୋର୍ଡ ଅନୁମୋଦନ କରିସାରିଛି, ଏହାର ପୁନଃ ସେନସର୍ କରିବା ଉଚିତ୍ ନୁହେଁ  – ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ମର୍ସଲକୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି, ଗୁରୁୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ଭଲ କାମ କରିଛି ଟିମ୍ ମର୍ସାଲ୍

ସେପଟେ ମର୍ସଲକୁ ବିରୋଧ କରିବା ନେଇ, ବିଜେପକୁ ଟାର୍ଗେଟ୍ କରିଛି କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ବିଗତ ଦିନର ଅଭିନେତ୍ରୀ ଏବଂ କଂଗ୍ରେସ ନେତ୍ରୀ ନଗମା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ମର୍ସଲ ସିନେମାକୁ ବିଜେପିର ବିରୋଧ ହେବା ପରେ, ଡେମୋକ୍ରାଟିକ୍ ୟୁଥ୍ ଫେଡରେସନ୍ ଅଫ୍ ଇଣ୍ଡିଆ ବିଜେପି ବିରୋଧୀ ନାରା ଦେଇଛି । ମଙ୍ଗଳବାର ଚେନ୍ନାଇରେ ଦଳ ଧାରଣା ଦେଇଛି । ଭାରତ ଏକ ନିରପେକ୍ଷ ରାଷ୍ଟ୍ର ଏଠି ସଭିଁଙ୍କ ହକ୍ ଅଛି ନିଜ ଇଚ୍ଛାନୁସାରେ କଥା କହିବା ପାଇଁ । ସିନେମାକୁ ବିରୋଧ କରିବା ଠିକ୍ ନୁହେଁ ବୋଲି ଡେମୋକ୍ରାଟିକ୍ ୟୁଥ୍ ଫେଡରେସନ୍ ଅଫ୍ ଇଣ୍ଡିଆ କହିଛି । ସେପଟେ ବିଜେପି ନେତା ଶତୃଘ୍ନ ସିହ୍ନା କିନ୍ତୁ ସିନେମାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସିନେମାରେ ଜିଏସଟି ବିରୋଧି ଡାଏଲଗକୁ ନେଇ ଶତୃଘ୍ନ ସିହ୍ନା କହିଛନ୍ତି ଏହା ଆଦୌ ଆଟିଂ ନାସନାଲ୍ ନୁହେଁ । ଏହି ବାବାଦକୁ ଆଗକୁ ବଢାଇବା ଉଚିତ୍ ନୁହେଁ ।

ଜିଏସଟିକୁ ନେଇ ତାମିଲ୍ ଫିଲ୍ମରେ ଆଲୋଚନା କରିବା ପରେ ଦେଶରେ ଏକ ନୂଆ ରାଜନୀତି ଦେଖିବାକୁ ମିଳିଛି । ଆଉ ଯାହାର ଫାଇଦା ହୋଇଛି ସିନେମା ମର୍ସଲକୁ । ଫିଲ୍ମଟି ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୧୫୦ କୋଟିର ରୋଜଗାର କରି ପାରିଛି । ଜିଏସଟି ବିବାଦ ଏହି ସିନେମା ପାଇଁ ଲାଭବାନ ହୋଇଥିବା ଦେଖିବାକୁ ମିଳୁଛି । ମର୍ସଲ ବିବାଦରେ ବିଜେପି ନେତାଙ୍କୁ ଆଖି ଦେଖାଇଲେ ବଲିଉଡ୍ ଅଭିନେତା । ଫିଲ୍ମରେ ଥିବା ଏକ ଡାଏଲଗରେ ଜିଏସଟି ଉପରେ ଟିପ୍ପଣୀକୁ ନେଇ ବିଜେପି ମୁଖପାତ୍ର ଜିଭିଏଲ ନରସିହ୍ମା ରାଓଙ୍କ ସମାଲୋଚନା ପରେ ଆରମ୍ଭ ହୋଇଛି ବିବାଦ । ଭାରତୀୟ ଫିଲ୍ମ ଷ୍ଟାରଙ୍କ ସାଧାରଣ ଜ୍ଞାନ କମ୍ ବୋଲି ବିଜେପି ନେତାଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି ଅଭିନେତା ଫରହାନ ଅଖତର । ଏମିତି କହିବାର ସାହସ କିପରି ହେଲା ବୋଲି ଟ୍ୱିଟ୍ କରିଛନ୍ତି ଫରହାନ୍ ।