ବିଜୟ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କଲେ କୋର୍ଟ ! ସମ୍ପତି ଜବତ୍ ନେଇ ଇଡ଼ି ପାଇଁ ବାଟ ପରିଷ୍କାର, ମଦସମ୍ରାଟଙ୍କୁ ଝଟକା ।

114

କନକ ବ୍ୟୁରୋ : ମଦସମ୍ରାଟ ବିଜୟ ମାଲ୍ୟାଙ୍କୁ ଆଜି ପଳାତକ ଆର୍ଥିକ ଅପରାଧୀ ଘୋଷଣା କରା ଯାଇଛି । ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲ ଅଦାଲତ ଆଜି ଏହି ଘୋଷଣା କରିଛନ୍ତି । ଏହା ଫଳରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ ହେବାର ପଥ ପରିଷ୍କାର ହୋଇଛି । ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କୋର୍ଟଙ୍କୁ ପୂର୍ବରୁ ଆବେଦନ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରି ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଛନ୍ତି ।

ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ୨୦୧୮ ଅନୁସାରେ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ବିବେଚିତ ହୋଇଛନ୍ତି । ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡିଯିବା ଓ ଯାଂଚ ପାଇଁ କୋର୍ଟରେ ହାଜର ନହେବା ପାଇଁ ତାଙ୍କ ବିରୋଧରେ ଜାମିନ ବୀହିନ ୱାରେଂଟ ଜାରି ହୋଇସାରିଛି । ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା ପରେ ତାଙ୍କ ସମ୍ପତି ଜବତ କରିବାର ଅଧିକାର ସରକାରଙ୍କୁ ମିଳିଛି । ଆର୍ଥିକ ପଳାତକ ଘୋଷଣା ପରେ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିବ । ଆଗକୁ ବିଜୟ ମାଲ୍ୟାଙ୍କ ଅଡୁଆ ବଢ଼ିବା କୁହାଯାଉଛି ।