ନିଶା ନିବାରଣ କେନ୍ଦ୍ରରୁ ଆସିଲା ଅଭାବନୀୟ ଦୃଶ୍ୟ । ଯୁବକଙ୍କୁ ନିଷ୍ଠୁର ଭାବେ ମାଡ ମାରୁଛନ୍ତି ପରିଚାଳକ ।

524

କନକ ବ୍ୟୁରୋ: ନିଶା ଖାଉଥିବା ଯୁବକଙ୍କ ନିଶା ଛଡାଇବାକୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥାନ୍ତି । ଭାବିଥାନ୍ତି ତାଙ୍କ ପିଲା ନିଶା ନିବାରଣ କେନ୍ଦ୍ରରେ ରହିବା ପରେ ସୁଧୁରି ଯିବ । ଆଉ ନିଶା ଖାଇବ ନାହିଁ । କିନ୍ତୁ ଯେଉଁମାନେ ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପିଲାଙ୍କୁ ଛାଡୁଛନ୍ତି, ବାଟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର ।

ନିଶା ନିବାରଣ କେନ୍ଦ୍ରରୁ ଆସିଛି ନିର୍ଯାତନାର ନିଷ୍ଠୁର ଭିଡିଓ । ଜଣେ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ର ପରିଚାଳକ ନୃଶଂସ ଭାବରେ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି ଯୁବକ ଜଣଙ୍କୁ ନିଶା ନିବାରଣ କେନ୍ଦ୍ରରେ ଥିବା ଅନ୍ୟ ଅନ୍ତେବାସୀଙ୍କ ସମ୍ମୁଖରେ ନିସ୍ତୁକ ପିଟି ଚାଲିଛନ୍ତି କେନ୍ଦ୍ରର କର୍ମଚାରୀ । ଜଣେ କର୍ମଚାରୀ ତଳେ ପଡିଥିବା ଯୁବକଙ୍କ ଉପରେ ବସି ତାଙ୍କୁ ମାଡି ବସିଛନ୍ତି । ଆଉ ଜଣେ ତଳେ ପଡିଥିବା ଯୁବକଙ୍କୁ ଗାଇ ଗୋରୁ ଭଳି ଏକ ପାଇପରେ ପିଟି ଚାଲିଛି । ଆଉ ମାଡ ଖାଉଥିବା ଅସହାୟ ଯୁବକ ଜଣକ ଭୁଲ ହୋଇ ଯାଇଛି କହି କାକୁତି ମିନତି ହେଉଛନ୍ତି । ହେଲେ ତାଙ୍କ ଗୁହାରି ନିଶାନିବାରଣ କେନ୍ଦ୍ରର କର୍ମଚାରୀଙ୍କ କାନକୁ ଶୁଭୁନାହିଁ ।

ଏହି ଭିଡିଓଟି ଭୁବନେଶ୍ୱର ଉପକଣ୍ଠ ଜାଆଁଳାରେ ଚାଲିଥିବା ଏକ ନିଶା ନିବାରଣ କେନ୍ଦ୍ରର ବୋଲି କୁହାଯାଉଛି । କିଛି ଦିନ ପୂର୍ବରୁ ଏମିତି ଏକ ଭିଡିଓ ବାରିପଦାର ଏକ ନିବାରଣ କେନ୍ଦ୍ରରୁ ଆସିଥିଲା । ଯେଉଁଥିରେ ଜଣେ ଅନ୍ତେବାସୀଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ପାଦ ଚାଟିବାକୁ ବାଧ୍ୟ କରାଯାଇଥିଲା । ଏହି ଖବର ପ୍ରସାରଣ ପରେ ସେହି କେନ୍ଦ୍ରର ମାଲିକଙ୍କୁ ଗିରଫ କରିଥିଲା ପୋଲିସ୍ । ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ଚାଲିଥିବା ଏହି ନିଶା ନିବାରଣ କେନ୍ଦ୍ରକୁ ଅନୁମତି କିଏ ଦେଉଛି? ନିଶା ନିବାରଣ କେନ୍ଦ୍ର ଗୁଡିକର ତଦାରଖ କିଏ କରୁଛି? ନିର୍ଯାତନା ଦିଆଯିବା ସମୟରେ ଅନ୍ତେବାସୀଙ୍କର କିଛି ହେଲେ ଏଥିପାଇଁ କିଏ ଦାୟୀ ରହିବେ?