ତାଲିବାନ କବଜାରେ ଥିବା କାବୁଲରୁ ଆସୁଛି ଭିଡିଓ । କେଉଁଠି ମହିଳାଙ୍କ ପ୍ରତିବାଦ ତ, ପୁଣି କେଉଁଠି ମହିଳା ସାମ୍ବାଦିକଙ୍କ ପ୍ରଶ୍ନରେ ତାଲିବାନୀ ନେତାଙ୍କ ହସ ।

308

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନୀମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ନିଜ ହିସାବରେ ଦେଶ ଚଳାଇବା ପାଇଁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି । ତାଲିବାନୀମାନେ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଥିବାବେଳେ ଏହାରି ଭିତରେ ଆଫଗାନିସ୍ତାନରୁ ଆସିଛି ଅନେକ ଭିଡିଓ । ଯେଉଁଥିରେ ମହିଳାମାନେ ପ୍ରତିବାଦ କରୁଛନ୍ତି   ମହିଳା ସାମ୍ବାଦିକ ମଧ୍ୟ ତାଲିବାନୀ ନେତାଙ୍କୁ ପ୍ରଶ୍ନ କରୁଛନ୍ତି ଏବଂ ଅନ୍ୟପଟେ ବିଜୟ ଉତ୍ସବ ମନାଉଛନ୍ତି ତାଲିବାନୀ । ଏସବୁ ଭିଡିଓ ଏବେ ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

ଆଫଗାନିସ୍ତାନରେ ନିଜ ଅଧିକାର ପାଇଁ ମହିଳାମାନଙ୍କ ପ୍ରତିବାଦ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର ପକ୍ଷରୁ ଏକ ଭିଡିଓଟି ଟୁଇଟ୍ କରାଯାଇଛି । ଯେଉଁଥିରେ ମହିଳାମାନେ ପୋଷ୍ଟର ଦେଖାଇ ଏବଂ ନାରାବାଜୀ କରି ଦାବି କରୁଛନ୍ତ ଯେ ସେମାନଙ୍କ ଅଧିକାର ଛଡାଇ ନିଆନଯାଉ ଏବଂ ଶିକ୍ଷା ଓ ଚାକିରି କରିବାର ଅଧିକାରରୁ ବଞ୍ଚିତ କରାନଯାଉ । ପ୍ରଥମ ଥର ପାଇଁ ତାଲିବାନ ମାଟିରେ ନିଜ ଅଧିକାର ସାବ୍ୟସ୍ତ ମହିଳାଙ୍କ ଏଭଳି ଉଦ୍ୟମକୁ ଟୁଇଟରରେ ପ୍ରଶଂସା କରାଯାଇଛି ।

ସେହିପରି ବୁଧବାର ସକାଳେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଜଣେ ମହିଳା ସାମ୍ବାଦିକ ତାଲିବାନୀ ମୁଖପାତ୍ରଙ୍କୁ ପ୍ରଶ୍ନ କରୁଥିଲେ ଯେ ତାଲିବାନ ରାଜରେ ମହିଳାଙ୍କ ଅଧିକାର ରକ୍ଷା କରାଯିବ କି? ଏହି ପ୍ରଶ୍ନ ଶୁଣି ହସି ପକାଇଥିଲେ ତାଲିବାନୀ ମୁଖପାତ୍ର ଏବଂ କ୍ୟାମେରା ବନ୍ଦ କରିବାକୁ କହିଥିଲେ । ଏଥିରେ କ୍ୟାମେରାମ୍ୟାନ ଜଣଙ୍କ କ୍ୟାମେରା ବୁଲାଇ ଦେଇଥିଲେ । ପରେ ଅବଶ୍ୟ ସେ ପ୍ରଶ୍ନର ଉତ୍ତର ରଖିଥିଲେ ତାଲିବାନୀ । ତେବେ ଟୁଇଟରରେ ମହିଳା ସାମ୍ବାଦିକଙ୍କ ଏହି ନିର୍ଭିକ ପ୍ରଶ୍ନକୁ ପ୍ରଶଂସା କରାଯାଇଛି ।

ଆଜି ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଥିଲା । ରାସ୍ତା ଉପରେ କିଛି ଲୋକଙ୍କୁ ଗିରଫ କରୁଥିଲେ, ତାଲିବାନୀ । କାନ ଧରି ତାଙ୍କୁ ଆଣ୍ଠେଇ ଦେଇଥିଲେ । ତାଙ୍କର ଅପରାଧ କଣ ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ସବୁ ପରେ କାବୁଲ ରାସ୍ତା ଉପରେ ବନ୍ଧୁକଧାରୀ ତାଲିବାନୀଙ୍କ ଅତ୍ୟାଚାର ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ଏବଂ ସେମାନେ ଯାହା କହୁଛନ୍ତି ତାହା କରିବେ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

ଏହାରି ଭିତରେ କାବୁଲର ଟ୍ରାଫିକ୍ ପୋଷ୍ଟରେ ଜଣେ ବନ୍ଧୁକଧାରୀ ତାଲିବାନୀ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ହୁଇସିଲ ମାରି ଗାଡି ଆଗକୁ ଯିବାକୁ ଅନୁମତି ଦେଉଛନ୍ତି । କିଛି କିଛି ଗାଡିକୁ ପାଖକୁ ଯାଇ ଯାଞ୍ଚ ମଧ୍ୟ କରୁଛନ୍ତି । ତାଲିବାନୀମାନେ କାବୁଲରେ ପଶିବା ପରେ ଅଧିକାଂଶ ସରକାରୀ କର୍ମଚାରୀ, ପୁଲିସ ଓ ଅନ୍ୟ ଅଧିକାରୀଙ୍କ ପତ୍ତା ମିଳୁ ନାହିଁ । ସେମାନେ ତାଲିବାନୀଙ୍କ ଭୟରେ ଲୁଚି ଯାଇଥିବା କୁହାଯାଉଛି ।

ତେବେ ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଜି ଆଫଗାନିସ୍ତାନର ଦ୍ୱିତୀୟ ବୃହତମ ସହର କାନ୍ଦାହାରରେ ପହଁଚିଥିଲେ । ସେଠାରେ ପହଁଚିବାରେ ପରେ ତାଙ୍କୁ ବଡ ଧରଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କତାରରୁ ଏକ ସ୍ୱତନ୍ତ୍ର ବିମାନରେ ପହଁଚିଥିବା ଏହି ତାଲିବାନୀ ନେତା ପାକିସ୍ତାନରେ ୨୦୧୦ରେ ଗିରଫ ହେବା ପରେ ଆମେରିକାର ଅନୁରୋଧ କ୍ରମେ ୨୦୧୮ରେ ମୁକ୍ତ ହୋଇଥିଲେ ।