ହରମନପ୍ରୀତ ଲେଖିଥିଲେ ଦିପ୍ତୀଙ୍କ ‘ମଙ୍କଡ’ ସ୍କ୍ରିପ୍ଟ! ଇଂଲଣ୍ଡକୁ ହରାଇବା ପାଇଁ ହୋଇଥିଲା ଯୋଜନା।

218

କନକ ନ୍ୟୁଜ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ, ଇଂଲଣ୍ଡକୁ ପ୍ରଥମ ଥର ୩-୦ରେ ପରାସ୍ତ କରି କ୍ଲିନ ସୁଇପ କରିଛି । ଦ୍ରୁତବୋଲର ଝୁଲନ ଗୋସ୍ୱାମୀଙ୍କ ଏହା ଶେଷ ଅର୍ନ୍ତଜାତୀୟ ମ୍ୟାଚ ହୋଇଥିବା ବେଳେ ବିଜୟ ସହ ସେ କ୍ରିକେଟକୁ ବାଏ ବାଏ କରିଛନ୍ତି । ଭାରତ ଶେଷ ମ୍ୟଚକୁ ୧୬ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪୫.୪ ଓଭରରେ ୧୬୯ ରନ ସଂଗ୍ରହ କରିଥିଲା । ତେବେ ଇଂଲଣ୍ଡ ଏହାର ଜବାବରେ ୧୫୩ ରନରେ ଅଲଆଉଟ ହୋଇଯାଇଥିଲା । ୨୯ ରନରେ ୪ଟି ୱିକେଟ ନେଇଥିବା ରେଣୁକା ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିଭଳି ସିରିଜରେ ହରମନପ୍ରୀତ କୌର ୨୨୧ ରନ କରି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଭାରତର ବିଜୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଦୀପ୍ତି ଶର୍ମାଙ୍କର । ଦିପ୍ତୀ ନନ ଷ୍ଟ୍ରାଇକର ଏଣ୍ଡରେ ଥିବା ସାର୍ଲେଟ ଡିନଙ୍କୁ ‘ମଙ୍କଡ’ ରନ ଆଉଟ କରି ମ୍ୟାଚ ଶେଷ କରିଦେଇଥିଲେ । ତେବେ ଶୁଣିବାକୁ ମିଳୁଛି ଯେ ଅଧିନାୟକ ହରମନପ୍ରୀତ କୌର ଏହି ଯୋଜନା କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି ଯେ ଦିପ୍ତୀ ଶର୍ମା ବୋଲିଂ କରିବାକୁ ଆସୁଛନ୍ତି ଆଉ ତାଙ୍କ ହରମନ କିଛି ଇସାରା ମଧ୍ୟ କରୁଛନ୍ତି ।

ସାର୍ଲେଟ ଡିନ ଏବଂ ଫ୍ରିୟା ଡେବିସ ୧୦ମ ୱିକେଟ ପାଇଁ ୩୫ ରନର ଭାଗିଦାରୀ କରିଥିଲେ । ତେବେ ମ୍ୟାଚର ୪୪ ତମ ଓଭରରେ ବୋଲି ପାଇଁ ଆସିଥିବା ଦିପ୍ତୀ ଓଭରର ତୃତୀୟ ବଲରେ ଚତୁରତାର ସହ ଡିନଙ୍କୁ ରନ ଆଉଟ କରିଥିଲେ । ଫ୍ରିୟା ଡେବିସ ବ୍ୟାଟିଂ କରୁଥିବା ବେଳେ ଦିପ୍ତୀଙ୍କ ହାତରେ ବଲ ଥିଲା । ଦିପ୍ତୀ ବୋଲିଂ ପାଇଁ ଆଗକୁ ବଢୁଥିବା ବେଳେ ସେତେବେଳେ ବୋଲିଂ ପୂର୍ବରୁ ସାର୍ଲେଟ କ୍ରିଜରୁ ଆଗକୁ ଚାଲିଯାଇଥିଲେ । ଏହି ସମୟରେ ଦିପ୍ତୀ ତାଙ୍କୁ ରନ ଆଉଟ କରି ଭାରତକୁ ମ୍ୟାଚ ସହ ସିରିଜ ବିଜୟ ଭେଟିଦେଇଥିଲେ ।