“ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପାଇଁ କରାଯାଇଥିଲା ସାଂଘାତିକ ଷଡଯନ୍ତ୍ର” ସଙ୍ଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ । କହିଲେ…

623

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ପଞ୍ଜାବର ଚନ୍ନି ସରକାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନଥିବା କହି ଆସୁଥିବା ବେଳେ ବିଜେପି ନେତା କିଛି ନଛୋଡବନ୍ଧା । ଲଗାତାର ଏହି ପ୍ରସଙ୍ଗରେ ଉଭୟ ଚନ୍ନି ସରକାର ଓ କଂଗ୍ରେସକୁ ଟାର୍ଗେଟ କରି ଆସୁଛି ବିଜେପି । ଆଉ ଏବେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ହିମନ୍ତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ସାଂଘାତିକ ଷଡଯନ୍ତ୍ର କରାଯାଇଥିଲା । ଉଭୟ ଚନ୍ନି ସରକାର ଓ କଂଗ୍ରେସ ଏନେଇ ସୁପରିକଳ୍ପିତ ଷଡଯନ୍ତ୍ର କରିଥିଲେ । ଷ୍ଟିଙ୍ଗ୍ ଅପରସେନ ପରେ ଏହି ସନ୍ଦେହ ଆହୁରି ସ୍ପଷ୍ଟ ହୋଇଥିବା କହିଛନ୍ତି ହିମନ୍ତ ।

ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଟେଲିଭିଜନ ଚ୍ୟାନେଲ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାରକେଡ ଯେଉଁ ଅଞ୍ଚଳରେ ଅଟକି ରହିଥିଲା ସେଠାରେ ପ୍ରଦର୍ଶନ ହେବ ବୋଲି ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା । ଏନେଇ ଉପରିସ୍ଥ ଅଧିକାରୀ ମଧ୍ୟ ଜାଣିଥିଲେ । ଏହାସତ୍ତେ୍ୱ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଗଲା ନାହିଁ । ଏହାଛଡା ଆନ୍ଦୋଳନରେ ଚାଷୀ ନୁହେଁ ବରଂ ଖଲିସ୍ତାନୀ ସମର୍ଥକ ବସିଥିଲେ । ଏହାବାଦ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିଥିବା ସ୍ଥାନ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ପାକିସ୍ତାନ ସୀମା ରହିଥିଲା । ଆଉ ଏହି ଅଞ୍ଚଳରେ ବେଶ ସହଜରେ ଶତ୍ରୁ ଦେଶର ଡ୍ରୋନ, ସ୍ନାଇପର, ମିସାଇଲ ରେଞ୍ଜରେ ଆସିପାରୁଥିଲା । ଏଭଳି ସମ୍ବେଦନଶୀଳ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ ।

ସବୁଠୁ ବଡ କଥା ହେଉଛି, ପ୍ରଧାନମନ୍ତ୍ରୀ କାରକେଡ ଅଟକିବା ଘଟଣା କଂଗ୍ରେସର ହାଇକମାଣ୍ଡଙ୍କ ସହ ଆଲୋଚନା କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କିଭଳି ଦଳୀୟ ଫୋରମରେ ଏହା ଆଲୋଚନା କରାଗଲା ତାହାକୁ ନେଇ ହିମନ୍ତ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ । କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଦୂରେଇ ରହିଥିବା କହିଥିଲେ କିନ୍ତୁ ଏହି ଘଟଣାର ପରଦିନ କିଭଳି ଚନ୍ନି ପ୍ରେସମିଟ୍ କରି ସଫେଇ ରଖିଲେ ବୋଲି ପ୍ରଶ୍ନବାଣ ମାରିଛନ୍ତି । ଚନ୍ନି ସରକାରଙ୍କ କାର୍ଯ୍ୟକଳାପ ଓ କଂଗ୍ରେସ ନେତାଙ୍କ ବୟାନବାଜି ହିଁ ଦର୍ଶାଉଛି ଯେ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ବଡ ଧରଣର ପ୍ରାୟୋଜିତ ଷଡଯନ୍ତ୍ର ହୋଇଥିଲା । ଗତ ୫ ତାରିଖରେ ପଞ୍ଜାବରେ ଏକ ସଭାରେ ଯୋଗଦେବାକୁ ଯାଉଥିବା ବେଳେ ଫିରୋଜପୁର ଓଭରବ୍ରିଜ ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରାୟ ୧୫ରୁ ୨୦ ମିନିଟ୍ ଫଶି ରହିଥିଲା । ଚାଷୀ ପ୍ରଦର୍ଶନ କରୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଯାଇଥିଲା । ଆଉ ଏହାପରେ ସଭାସ୍ଥଳକୁ ନ ଯାଇ ବିମାନବନ୍ଦର ଫେରି ଆସିଥିଲେ ପ୍ରଧାନମନ୍ତ୍ରୀ । ଏହି ଘଟଣାକୁ ନେଇ ଏବେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ବୟାନବାଜି ଯୁଦ୍ଧ ଆରମ୍ଭ ହୋଇଛି ।