ବାହା ହେବେ କି କ୍ୟାଟ୍ରିନା କୈଫ-ଭିକ୍କି କୌଶଲ ? ଡିସେମ୍ବରରେ ବିବାହ କରିବା ନେଇ ଚର୍ଚ୍ଚା

 ଖବରକୁ ଖଣ୍ଡନ କଲେ କ୍ୟାଟ୍ରିନା; କହିଲେ, ବିବାହକୁ ନେଇ ଦୀର୍ଘ  ବର୍ଷ ଧରି ଦେଇ ଆସୁଛି ଉତ୍ତର

131

କନକ ବ୍ୟୁରୋ : ବାହା ହେବେ କି ଭିକ୍କି କୌଶଲ ଓ କ୍ୟାଟ୍ରିନ୍ କୈଫ୍ । ଡିସେମ୍ବର ମାସରେ ଦୁଇ ଜଣ ବିବାହ କରିବାକୁ ଯାଉଥିବା ସୂଚନା ମିଳିଛି । ଗତ ଅଗଷ୍ଟ ମାସରେ ଗୋପନୀୟ ଭାବେ ନିର୍ବନ୍ଧ କରି ସାରିଥିବା ଚର୍ଚ୍ଚା ହେଉଛି । ଏପରିକି ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ବିବାହରେ କ୍ୟାଟ୍ରିନା ପିନ୍ଧିବାକୁ ଥିବା ଲେହଙ୍ଗା ପ୍ରସ୍ତୁତିରେ ଲାଗିପଡିଛନ୍ତି  ଏବଂ  ରାଜସ୍ଥାନରେ ସେମାନେ ବିବାହ କରିବାକୁ ସ୍ଥିର କରିସାରିଛନ୍ତି ବୋଲି ମଧ୍ୟ ଖବର ଆସିଲା ।

ଏ ଖବରଟି ସ୍ୱାଭାବିକ ଭାବେ କ୍ୟାଟ୍ରିନା ଓ ଭିକ୍କିଙ୍କ  ପ୍ରଶଂସକଙ୍କୁ ଅତ୍ୟନ୍ତ ଉତ୍ସାହିତ କରିପକାଇଲା । ଯଦିଓ କ୍ୟାଟ୍ରିନା  ଭଳି ତାରକାଙ୍କ ବିବାହକୁ ନେଇ ପ୍ରତି ମାସ ଗୁଜବ ସୃଷ୍ଟି ହୋଇଥାଏ, ନିକଟରେ ମୁକ୍ତିଲାଭ କରଥିବା ‘ଉଦମ ସିଂହ’ ଚଳଚ୍ଚିତ୍ର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ଦୁଇଜଣ ଏକାସାଙ୍ଗେ ଦେଖାଦେବା ଘଟଣା ପରେ ପରେ ବିବାହର ଉଡା ଖବରକୁ ପ୍ରାୟ ସମସ୍ତେ ବିଶ୍ୱାସ କରିନେଇଥିଲେ । ମାତ୍ର ଏ ଖବର ଆସିବାର ଛତିଶ ଘଣ୍ଟା ନ ପୂରୁଣୁ କ୍ୟାଟ୍ରିନା ସବୁ କଳ୍ପନା ଜଳ୍ପନାକୁ ସିଧାସଳଖ ଖଣ୍ଡନ କରିଛନ୍ତି । ଏକ ବଲିଉଡ ପୋର୍ଟାଲ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ବିଗତ ୧୫ବର୍ଷ ହେଲା ତାଙ୍କୁ ସମାନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି ।

ବିବାହର ଖବର ସମ୍ପୂର୍ଣ୍ଣ ମିଛ । ସେ ଭିକ୍କିଙ୍କୁ ବା ଆଉ କାହାକୁ ବିବାହ କରିବାର କୌଣସି ଯୋଜନା କରିନାହାନ୍ତି । ବଲିଉଡର ସର୍ବାଧିକ ପାଉଣା ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ଜଣେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ବଲିଉଡରେ ପଦାର୍ପଣ କରି ମଧ୍ୟ ଏ ପ୍ରର୍ଯ୍ୟନ୍ତ ନିଜର ଲୋକପ୍ରିୟତା ବଜାୟ ରଖିପାରିଛନ୍ତି, ଯାହା ସିନେମା ଜଗତରେ ଜଣେ ଅଭିନେତ୍ରୀ ପକ୍ଷେ ବିରାଟ ଉପଲବ୍ଧି . ଆଗକୁ ତାଙ୍କ ଅଭିନୀତ ‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଅପରପକ୍ଷେ ଭିକ୍କି କୌଶଲ ‘ଉଧମ ସିଂହ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ସମେତ ସମୀକ୍ଷକଙ୍କ ପ୍ରଶଂସା ସାଉଂଟିବାରେ ଲାଗିଛନ୍ତି ।