ଆଜି ଉପରାଷ୍ଟ୍ରପତି ନିର୍ବାଚନ ! ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କ ପଲ୍ଲା ଭାରି, ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସମର୍ଥନରେ ବିଜେଡି

49

ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ବିରୋଧୀ ଦଳ ତରଫରୁ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ । ଏନଡିଏ ନିଜ ପ୍ରାର୍ଥୀଙ୍କ ବିଜୟକୁ ନେଇ ନିଶ୍ଚିତ ରହିଛି । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନକୁ ବିଚାର ଧାରାର ଲଢେଇ ପ୍ରସଙ୍ଗ କରିଛନ୍ତି ବିରୋଧୀ ।

ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦ ଆଜି ଭୋଟ ଦେବେ । ନିର୍ବାଚନ ବିଜୟ ପାଇଁ ୩୯୩ ଭୋଟର ଆବଶ୍ୟକ ଥିବା ବେଳେ ଭେଙ୍କେୟାଙ୍କୁ ୪୦୬ ସାଂସଦଙ୍କ ସମର୍ଥନ ମିଳିଛି । ତେଣୁ ଭେଙ୍କେୟା ଜିତିବା ନିଶ୍ଚିତ ବୋଲି ଧରାଯାଉଛି । ଆଜି ଏହା ମଧ୍ୟ ସ୍ପଷ୍ଟ ହୋଇଯିବ କିଏ ହେବ ଉପରାଷ୍ଟ୍ରପତି,ସନ୍ଧ୍ୟା ସୁଧା ପ୍ରକାଶ ପାଇବ ଫଳାଫଳ ।

କେମିତି ହୋଇଥାଏ ଉପରାଷ୍ଟ୍ରପତି ନିର୍ବାଚନ ଓ ଭୋଟ ସମୀକରଣ କଣ ?

• ଉପରାଷ୍ଟ୍ରପତି ନିର୍ବାଚନ ସିକ୍ରେଟ ବାଲଟ୍ ଜରିଆରେ ହୋଇଥାଏ ।

• ଏଥିରେ କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଭାଗ ନେଇଥାନ୍ତି ।

• ନିଜ ପସନ୍ଦଙ୍କୁ ମାର୍କ କରିବା ଲାଗି ସାଂସଦ ଏକ ଖାସ୍ ପେନ ବ୍ୟବହାର କରିଥାନ୍ତି । ଭୋଟଦାନବେଳେ ଅନ୍ୟ ପେନ ବ୍ୟବାହର କଲେ ଭୋଟ ନାକଚ ହୋଇଯାଇଥାଏ ।

• ବାଲଟ ପେପରରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାଁ ରହିଥାଏ, ମାତ୍ର ନିର୍ବାଚନ ଚିହ୍ନ ନଥାଏ ।

ଭୋଟ ସମୀକରଣ

ଭୋଟ ସମୀକରଣ ଅନୁସାରେ, ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଜିତିବା ଏକପ୍ରକାର ନିଶ୍ଚିତ । ପାର୍ଲାମେଂଟର ଉଭୟ ଗୃହରେ ମୋଟ ସଦସ୍ୟ ସଂଖ୍ୟା ହେଉଛି ୭୯୦ । ରାଜ୍ୟସଭାରେ ବିଜେପିର ୫୮ ଓ କଂଗ୍ରେସର ୫୭ ସଦସ୍ୟ ଅଛନ୍ତି । ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏର ୩୪୦ ଓ ରାଜ୍ୟସଭାରେ ୮୫ ସାଂସଦ ଅଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଆଗରେ ଅଛନ୍ତି । ଭେଙ୍କେୟାଙ୍କୁ ଏନଡିଏ ଛଡା ଏଆଇଏଡିଏମକେ, ଟିଡିପି ଓ ଟିଆରଏସ ସମର୍ଥନ ଦେଇଛନ୍ତି । ବିଜେଡି ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଦେଇଛି ।

ଜେଡିୟୁର ଭୋଟ ଉପରେ ସମସ୍ତଙ୍କ ନଜର

ଆଜିର ଉପରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁର ଭୋଟ ଉପରେ ସମସ୍ତଙ୍କ ନଜର ରହିଛି । ନୀତୀଶ କୁମାର କଂଗ୍ରେସ ନେତୃତ୍ୱାଧୀନ ମହାମେଂଟର ଥିବା ବେଳେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲେ । ଏବେ କିନ୍ତୁ ଏନଡିଏକୁ ଆସିବା ପରେ ଦଳ କାହାକୁ ଭୋଟ ଦେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଯଦିଓ ନୀତିଶ କୁମାର ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଜାରି ରହିବ ବୋଲି କହିସାରିଛନ୍ତି ତାସତ୍ୱେ ଜେଡିୟୁ କାହାକୁ ଭୋଟ ଦେଉଛି ସେ ନେଇ ଉକ୍ରଣ୍ଠା ଲାଗି ରହିଛି । ତେବେ ଲାକସଭାରେ ଜେଡିୟୁର ୨ ଜଣ ଓ ରାଜ୍ୟସଭାରେ ୧୦ ଜଣ ସାଂସଦ ଅଛନ୍ତି ।